ଗଜପତି: ରାଜ୍ୟ ରାଜନୀତିରେ ପାରଳା ରାଜ ବଂଶର(Parla Gajapati Dynasty) ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି । ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ(First Prime Minister of Odisha) ହୋଇଥିବାବେଳେ ତାଙ୍କ ଦାୟଦ ଗୋପୀନାଥ ଗଜପତି ଦୁଇ ଥର ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଏହି ରାଜବଂଶକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି । ପାରଳା ଗଜପତି ବଂଶର ଆଉ ଜଣେ ସଦସ୍ୟ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଗୋପୀନାଥଙ୍କ ପରେ ତାଙ୍କ କନ୍ୟା କଲ୍ୟାଣୀ ଗଜପତି ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ହାରିଥିଲେ । ଦୀର୍ଘ ୩୦ ବର୍ଷ ପରେ ଗୋପୀନାଥ ଗଜପତିଙ୍କ ଭାଇ ଜଗନ୍ନାଥ ନାରାୟଣ ଦେବଙ୍କ ଝିଅ ପାରଳା ମାଟିରେ ପାଦ ଥାପିବା ସହ ସୁଯୋଗ ମିଳିଲେ ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି । ଗୋପୀନାଥ ଗଜପତିଙ୍କ ଦେହାନ୍ତ ପରେ କିଛି ବର୍ଷ ହେଲା ତାଙ୍କ ଝିଅ କଲ୍ୟାଣୀ ଗଜପତି ରାଜପ୍ରାସାଦରେ ରହି ଆସୁଛନ୍ତି । ରାଜଗାଦି ମଧ ଆରୋହଣ କରିଛନ୍ତି ।
କିନ୍ତୁ ଆଜି ଜଗନ୍ନାଥ ନାରାୟଣ ଦେବଙ୍କ ପତ୍ନୀ ଶୈଳଜା ଦେବୀ ଓ ତାଙ୍କ ଝିଅ ନବନୀତା ଦେବୀ ପାରଳାଖେମୁଣ୍ଡିରେ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିର ଓ ମହାରାଜାଙ୍କ ଇଷ୍ଟ ଦେବୀ ମାଁ ମାଣିକେଶ୍ଵରୀ ମନ୍ଦିର ପରିଦର୍ଶନ କରିଥିଲେ । ଏହାପରେ ସେଠାରୁ ତହସିଲ କାର୍ଯ୍ୟାଳୟ ଗସ୍ତ କରି ନିଜର ଉତ୍ତରାଧିକାରୀ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଦୀର୍ଘ ବର୍ଷ ପରେ ପାରଳାଖେମୁଣ୍ଡି ଆସି ନିଜ ଲୋକମାନଙ୍କୁ ଦେଖି ସେମାନେ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି ।
ତେବେ ସୁଯୋଗ ମିଳିଲେ ଏଠାରେ ରହି ଲୋକଙ୍କ ସେବା କରିବାର ଇଚ୍ଛା ରହିଥିବା ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜକୁମାରୀ ନବନୀତା ଗଜପତି । "ରାଜ ପରିବାରର ପୈତୃକ ଅଧିକାର ରହିଛି, ଏଠାରେ ରହି ନିଜ ପୂର୍ବଜ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମ୍ମାନ ରକ୍ଷା କରିବାକୁ ପ୍ରୟାସ କରିବି । ଏଥିସହ ରାଜ ପରିବାରର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ମନସ୍ଥ କରିଛି" ବୋଲି କହିଛନ୍ତି ନବନୀତା ।