ଢେଙ୍କାନାଳ: ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ବଧୁ ହତ୍ୟା ଅଭିଯୋଗ । ଏହି ଗ୍ରାମ ଡିହ ସାହିରେ ପ୍ରତାପ ରାଉତଙ୍କ ପତ୍ନୀ ବନିତା ପରିଡାର ମୃତ୍ୟୁ ସନ୍ଦେହ ଘେରକୁ ଆସିଛି ।
ସୋମବାର ବନିତାଙ୍କ ମୃତଦେହକୁ ତାଙ୍କ ଘରୁ ପୋଲିସ ଜବତ କରିଛି । ମୃତ୍ୟୁର ସଠିକ୍ କାରଣ କଣ ଜଣା ପଡିନଥିଲେ ମଧ୍ୟ ସେ ଆତ୍ମହତ୍ୟା କରିଥିବା ବନିତାଙ୍କ ସ୍ବାମୀ ପ୍ରତାପ ସଫେଇ ଦେଉଛନ୍ତି । ମାତ୍ର ମୃତ ବନିତାଙ୍କ ବାପ ଘର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ତେବେ ଭୁବନ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଅଭିଯୁକ୍ତ ସ୍ବାମୀ ପ୍ରତାପକୁ ପୋଲିସ ଅଟକ ରଖିଥିବାବେଳେ ବନିତାଙ୍କ ଶାଶୂ ଓ ଶ୍ବଶୁର ଫେରାର ହୋଇଯାଇଛନ୍ତି । ମୃତ ବନିତା ଭୁବନ ବ୍ଲକ ବାରୁଆଁ ଗ୍ରାମର ବାଳକୃଷ୍ଣ ପରିଡାଙ୍କ ବଡ ଝିଅ । ସେ ସୁରପ୍ରତାପପୁର ଗ୍ରାମର ଭୋଳେଶ୍ବର ରାଉତଙ୍କ ସାନ ପୁଅ ପ୍ରତାପ ରାଉତ ସହିତ ଗତ 2018 ମସିହା ମେ ମାସରେ ବୈଦିକ ରିତିରେ ବିବାହ କରିଥିଲେ ।
ପ୍ରତାପ ଅନେକ ସମୟରେ ହୋଣ୍ଡା ହର୍ନେକ୍ସ ବାଇକ୍ ଦେବାକୁ ଶ୍ବଶୁର ଘରକୁ ଦାବି କରିଥିଲେ । ମାତ୍ର ବନିତାଙ୍କ ବାପା ବାଳକୃଷ୍ଣ ଦେଇ ପାରିବେ ନାହିଁ ବୋଲି ମନା କରିବା ପରେ ବିଭିନ୍ନ ସମୟରେ ବନିତାକୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ସୋମବାର ନିଜେ ପ୍ରତାପ ରାଉତ ଶାଶୂ ଅହଲ୍ୟାଙ୍କୁ ଫୋନ କରି ତାଙ୍କ ଝିଅ ଆତ୍ମହତ୍ୟା କରିଛି ବୋଲି କହି ଫୋନ କାଟି ଦେଇଥିଲା ।
ଏହି ଘଟଣାର ଭୁବନ ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବନିତାର ସ୍ବାମୀ ପ୍ରତାପକୁ ଅଟକ ରଖି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ଢେଙ୍କାନାଳ ସାଇଣ୍ଟିଫିକ ଟିମ୍ ପହଞ୍ଚି ମାଜିଷ୍ଟେଡଙ୍କ ଉପସ୍ଥିତିରେ ଯାଞ୍ଚ କରିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ