ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କିରାସିନି, ଦିଆସିଲ ଓ ବିଷ ବୋତଲ ସହ ମହିଳାଙ୍କୁ ଉଦ୍ଧାର କଲା ପୋଲିସ । ପୋଲିସ ବ୍ୟବସ୍ଥାରେ ସୁଧାର ଆଣି ପୋଲିସ ଓ ପବ୍ଲିକଙ୍କ ମଧ୍ୟରେ ଥିବା ଦୂରତା କମାଇ ଆମ ପୋଲିସ ନାରା ଦେଇ ଉପରସ୍ତରରେ ବ୍ୟାପକ ଉଦ୍ୟମ କରାଯାଉଛି । ସେପଟେ ପ୍ରଶାସନ ମଧ୍ୟ ଲୋକଙ୍କ ପାଖକୁ ଯାଉଛି । ମିଳିତ ଜନ ଶୁଣାଣି ଶିବିର ଆଦି ଆୟୋଜନ କରି ଲୋକଙ୍କ ସମସ୍ୟା ସମାଧାନ କରିବାକୁ ସରକାର ଉଦ୍ୟମ ଚଳାଇଛନ୍ତି । ମାତ୍ର ଜିଲ୍ଲା ସ୍ତରରେ ସରକାରଙ୍କର ଏହି ପ୍ରୟାସ କେତେ କାର୍ଯ୍ୟକାରୀ ହେଉଛି ତାହାର ନିଚ୍ଛକ ପ୍ରମାଣ ଆଜି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।
ଜିଲ୍ଲା ସ୍ତରରେ ଅବସ୍ଥାପିତ ଅଧିକାରୀ ପୋଲିସ ବାବୁମାନେ ବାସ୍ତବିକ ଲୋକଙ୍କ ସମସ୍ୟାଠାରୁ ବହୁ ଦୂରରେ ରହୁଥିବାରୁ ଲୋକମାନେ ସଠିକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ଢେଙ୍କାନାଳରେ ପୋଲିସ ଓ ପ୍ରଶାସନ ଉପରୁ ସାଧାରଣ ଲୋକ ଆସ୍ଥା ତୁଟାଇ ଆତ୍ମହତ୍ୟା ପରି ବାଟ ବାଛୁଥିବା ବାରମ୍ବାର ଦେଖିବାକୁ ମିଳୁଛି । ଗତ କିଛି ଦିନ ପୂର୍ବେ ଜଣେ ମହିଳା, ବାପା ଓ ଝିଅ ଆତ୍ମହୁତି ପାଇଁ ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଉଦ୍ୟମ କରିଥିବା ବେଳେ ଆଜି ଏହାର ପୁନରାବୃତ୍ତି ଘଟିଛି।
ସୂଚନା ମୁତାବକ, ଜଣେ ମହିଳାଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣିଲାଣି ପୋଲିସ । ବିଡିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ନିରାଶ ହେଲେ । ପାଲାଟା ଅଭିଯୋଗର ବାରମ୍ବାର ଶିକାର ହେଲେ ମହିଳା । ଆଉ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥିଲେ ମହିଳା । ଏପରି ସ୍ଥିତିରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଣି ଏପରି ଜଣେ ନିର୍ଯାତିତା ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ବେଶ ଆଲୋଡନ ସୃଷ୍ଟି କରିଛି ।
ତେବେ ସୌଭାଗ୍ୟ ବଶତଃ ଆତ୍ମହତ୍ୟା ଉଦ୍ୟମ ବେଳେ ଏହି ମହିଳାଙ୍କୁ କାବୁ କରିଛି ପୋଲିସ । ପୋଲିସ ଏହି ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କଠାରୁ ବିଷ ବୋତଲ, ଦିଆସିଲ ଓ କିରାସିନି ଆଦି ଜବତ କରିଛି । ଏହି ମହିଳା ଜଣଙ୍କ ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର କମଳିନୀ ଜେନା ବୋଲି ଜଣାପଡିଛି । ତାଙ୍କ ଗ୍ରାମର ଏକ ଜାଗାକୁ ନେଇ ବିବାଦ ରହିଥିବା ବେଳେ କମାଳିନୀଙ୍କ ପରିବାରକୁ ଆକ୍ରମଣ କରାଯାଇଥିଲା ।
ଏ ସମ୍ପର୍କରେ ସେ ଝରାଗାଡ଼ିଆ ଫାଣ୍ଡି ଓ ସଦର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସର ଏକ ତରଫା ମନୋବୃତ୍ତିରୁ ନ୍ୟାୟ ନମିଳିବାରୁ ସେ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ମାତ୍ର ତାଙ୍କୁ ପୁଣି ଅଭିଯୁକ୍ତ ପାଲାଟା ଆକ୍ରମଣ କରି ନାନା ନିର୍ଯାତନା ଦେବା ତାଙ୍କୁ ଅସହ୍ୟ କରିଥିଲା । ଏନେଇ ପୋଲିସ ଓ ପ୍ରଶାସନ ପାଖରୁ ନ୍ୟାୟ ନପାଇ ଶେଷରେ ସେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୀବନ ହାରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ମାତ୍ର ତାଙ୍କୁ ସଦର ଥାନା ପୋଲିସ ଉଠାଇ ନେଇ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମରେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଥିବା ଜଣାପଡିଛି । ଏହି ଘଟଣା ପରେ ସଦର ଥାନା ପୋଲିସ ମହିଳାଙ୍କ ଅଭିଯୋଗକୁ ନେଇ ତନାଘନା ଆରମ୍ଭ କରିଛି ।
ଇଟିଭି ଭାରତ, ଢେଙ୍କାନାଳ