ଢେଙ୍କାନାଳ: ସାଙ୍ଗ ହୋଇ ଯାଇଥିଲେ । ହେଲେ ଆଉ ଫେରିଲେ ନାହିଁ । ଏମିତିକା ଦୁନିଆକୁ ଚାଲିଗଲେ ଯେ ଯେଉଁଠାରୁ କେହି କେବେ ଫେରେ ନାହିଁ । ପାଚେରୀ ପାଇଁ ଖୋଳାଯାଇଥିବା ନିଅଁରେ ପଡି ଚାଲିଗଲା ଦୁଇ ଶିଶୁ୍ଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କହ୍ନେଇପାଳ ଗ୍ରାମରେ । ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନାଅନୁସାରେ, କହ୍ନେଇପାଳ ଗାଁର ନଖିଆ ପାତ୍ର ତାଙ୍କ ଘର ଚାରିପାଖ ପାଚେରୀ ପାଇଁ ନିଅଁ ଖୋଳିଥିଲେ । ବର୍ଷା ଯୋଗୁଁ ଗାତରେ ପାଣି ଭର୍ତ୍ତି ହୋଇଥିଲା । ଗତକାଲି ସେହି ଗ୍ରାମର ପ୍ରଦୀପ ପାତ୍ରଙ୍କ ୬ବର୍ଷର ଝିଅ ପ୍ରିୟଙ୍କା ଓ ଶେଷଦେବ ପାତ୍ରଙ୍କ ୭ବର୍ଷର ଝିଅ ଶୃତି ସାଙ୍ଗ ଦୋକାନକୁ ଯାଉଥିବାବେଳେ ଅସାବଧାନତା ବଶତଃ ଗାତରେ ପଡି ଯାଇଥିଲେ । ବହୁ ସମୟ ଧରି ଦୁଇଜଣ ଘରକୁ ନ ଫେରିବାରୁ ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ।
ବହୁ ସମୟ ପରେ ପାଚେରୀ ପାଖରେ ସେମାନଙ୍କ ଚପଲ ପଡିଥିବା ଦେଖିବାକୁ ପାଇଥିଲେ । ଗାତରୁ ଦୁଇଜଣଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ପିଲାଙ୍କର ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ