ଢେଙ୍କାନାଳ: ଢେଙ୍କାନାଳ କପିଳାଶ ରାସ୍ତାର ସୁନ୍ଦରୀଖାଲ ନିକଟରେ ଲୁଟ ଉଦ୍ୟମ । ବସ ଅଟକାଇ ଲୁଟ ଉଦ୍ୟମ ବେଳେ କାବୁ କଲେ ସ୍ଥାନୀୟ ଲୋକେ । ଏକ ଏକ୍ସୟୁଭି ୫୦୦ ଗାଡି ସହ ୪ଜଣ ଲୁଟେରାଙ୍କୁ କାବୁକରି ପୋଲିସକୁ ଜିମାଦେଲେ ସ୍ଥାନୀୟଲୋକେ ।
ସୂଚନା ମୁତାବକ, ଅନୁଗୁଳରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଏହି ବସଟି ଗଁନ୍ଦିଆ ଷଢଙ୍ଗୀରୁ କାର୍ଯ୍ୟକ୍ରମ ସାରି ଅନୁଗୋଳ ଫେରୁଥିଲେ । ତେବେ ରାତି ପ୍ରାୟ ସାଢ଼େ ୮ଟା ସମୟରେ କପିଳାଶ ଢେଙ୍କାନାଳ ରାସ୍ତାର ସଦର ଥାନା ଅନ୍ତର୍ଗତ ସୁନ୍ଦରୀ ଖାଲ ନିକଟରେ ଏକ ଏକ୍ସୟୁଭି 500 ଯୋଗେ ୪ଜଣ ଯୁବକ ପ୍ରଥମେ ବସକୁ ଅଟକାଇ ଡ୍ରାଇଭରକୁ ଆକ୍ରମଣ କରିଥିଲେ । ପରେ ମହିଳାମାନଙ୍କୁ ଭୟଭୀତ କରି ଟଙ୍କା ଲୁଟ କରୁଥିଲେ ।
ତେବେ ମହିଳାମାନେ ପାଟି କରି ଡାକିବାରୁ ସ୍ଥାନୀୟଲୋକେ ପଳାଇଆସିଥିଲେ । ଫଳରେ ଲୁଟେରାମାନେ ଗାଡି ଛାଡି ଦୌଡ଼ି ପଳାଇ ଯାଉଥିବାବେଳେ ଗୋଡ଼ାଇ ଗୋଡ଼ାଇ ୪ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ପୋଲିସ ପହଞ୍ଚି ୪ ଜଣଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ଗାଡିକୁ ଜବତ କରିଛି ପୋଲିସ ।
ଇଟିଭି ଭାରତ, ଢେଙ୍କାନାଳ