ଢେଙ୍କାନାଳ: ଆଜି ନବୀନଙ୍କ ଟିମର ନବକଳେବର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି ୨୧ ମନ୍ତ୍ରୀ । ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଫୁଲ୍ଲ ମଲ୍ଲିକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଢେଙ୍କାନାଳ କାମାକ୍ଷାନଗରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ପ୍ରଫଲ୍ଲ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କ ଜନ୍ମ ୧୯୪୭ ମସିହାରେ ହୋଇଥିଲା । ବର୍ତ୍ତମାନ ୭୫ ବର୍ଷରେ ପଦାର୍ପଣ କଲେଣି ପ୍ରଫୁଲ୍ଲ । ବାଣିଜ୍ୟ ଓ ଆଇନରେ ସ୍ନାତକ ପରେ ଜଣେ ଆଇନଜୀବୀ ଭାବେ ପେଶା ଆରମ୍ଭ କରିଥିଲେ । ନିଶା କିନ୍ତୁ ତାଙ୍କୁ ଟାଣି ନେଇଥିଲା ଗରିବ ଖଟିଖିଆ ଓ ଶ୍ରମିକ ମାନଙ୍କ ସମସ୍ୟା ଆଡକୁ । ଫଳରେ ଜଣେ ସମାଜସେବୀ ଭାବେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସମ୍ପାଦକ ଭାବେ ପରେ ଓଡିଶା ବିଡ଼ି ଶ୍ରମିକ ମହାସଂଘର କାର୍ଯ୍ୟକାରୀ ସଭାପତି ଭାବେ ନିଃସ୍ବାର୍ଥପର ସମାଜସେବୀ ଭାବେ ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ଓଡିଶା ନିର୍ମାଣ ଶ୍ରମିକ ମହାସଂଘ ଓ ଓଡିଶା କେନ୍ଦୁପତ୍ର କଲ୍ୟାଣ ବୋର୍ଡର ନେତୃତ୍ବ ନେଇ ନିଃସ୍ବାର୍ଥପର ସେବା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଫଳରେ ପ୍ରଫୁଲ୍ଲ ମଲ୍ଲିକ ରାଜନୀତିରେ ପ୍ରଥମ ସୋପାନ ତ୍ରୟୋଦଶ ଓଡିଶା ବିଧାନସଭା ନିର୍ବାଚନ ୨୦୦୪ ମସିହାରେ ବିଜେଡିରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାନସଭା ମଣ୍ଡଳୀରେ ତାଙ୍କ ଲୋକପ୍ରିୟତା ଓ ବିଜେଡି ଦଳରେ ଜଣେ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀ ସମ୍ପନ୍ନ ବିଧାୟକ ଭାବେ କ୍ରମାଗତ ବିଜୁ ଜନତା ଦଳ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ।
ତାଙ୍କର ଦଳୀୟ ଆନୁଗତ୍ୟ ଓ କାର୍ଯ୍ୟ ଦକ୍ଷତା ପାଇଁ ପଞ୍ଚଦଶ ବିଧାନସଭା ୨୦୧୪ର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ବାଧୀନ ମନ୍ତ୍ରୀ ଭବେ ପ୍ରଥମେ ସ୍ଥାନ ପାଇଥିଲେ । ଫଳରେ ୨୦୧୪ରୁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ସ୍ବାଧୀନ ମନ୍ତ୍ରୀ ହୋଇଥିଲେ । ପରେ ଶ୍ରମ ଓ ରାଜ୍ୟ ବୀମା କର୍ମଚାରୀ ବିଭାଗର ମନ୍ତ୍ରୀ । ଏହା ପରେ ରାଜ୍ୟ କ୍ୟାବିନେଟରେ ଇସ୍ପାତ, ଖଣି ଓ ଶକ୍ତି ପରି ଗୁରୁତ୍ବପୂଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ । ପ୍ରଫୁଲ୍ଲ ମଲ୍ଲିକ ବିଜୁ ଜନତା ଦଳର ରାଜ୍ୟ ନେତୃବୃନ୍ଦଙ୍କ ମଧ୍ୟରେ ଜଣେ ବରିଷ୍ଠ ନେତା ଭବେ ସ୍ଥିତି ବଜାୟ ରଖିପାରିଛନ୍ତି । ଯାହା ଫଳରେ କ୍ରମାଗତ ଭାବେ ଗତ ୨୦୧୯ ନିର୍ବାଚନରେ ୪ର୍ଥ ଥର କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳରେ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ଭାବେ ନିଷ୍ଠାପର ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି ।
ଏପରିକି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଜଣେ ବରିଷ୍ଠ ମନ୍ତ୍ରୀ ଓ ନେତା ଭାବେ ନିଜର ପତିଆରା ସୃଷ୍ଟି କରିପାରିଛନ୍ତି ପ୍ରଫୁଲ୍ଲ । ପ୍ରଫୁଲ୍ଲ ମଲ୍ଲିକ ରାଜ୍ୟରେ ଜଣେ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀ ସମ୍ପର୍ଣ୍ଣ ମନ୍ତ୍ରୀ ଭାବେ ବିଜୁ ଜନତା ଦଳ ଓ ସୁପ୍ରିମୋ ନବିନ ପଟ୍ଟନାୟକଙ୍କ ପ୍ରତି ଏକାନ୍ତ ଆନୁଗତ୍ୟ । ଫଳରେ ତାଙ୍କୁ ପୁଣି ଥରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀମଣ୍ଡଳରେ ସାମିଲ କରି ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ବିଶ୍ବାସ ଅତୁଟ ରହିଥିବା ଜଣାପଡିଛି । ଯାହାକି ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପ୍ରକ୍ରିୟାରେ ପ୍ରଫୁଲ ମଲ୍ଲିକଙ୍କୁ ପୁଣି ଥରେ ସାମିଲ କରି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ବ ଦେଇଛନ୍ତି । ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପ୍ରଭୁଲ୍ଲ ମଲ୍ଲିକ ।
ଇଟିଭି ଭାରତ, ଢେଙ୍କାନାଳ