ଢେଙ୍କାନାଳ: ବାଇକରେ ଯାଉଥିବା ବେଳେ ଯୁବକଙ୍କୁ ଜିପ୍ ଚଢାଇ ହତ୍ୟା ଉଦ୍ୟମ । ସୋମବାର ଦିନ ଢେଙ୍କାନାଳ ଜିଲ୍ଲା କପିଳାଶ ରାସ୍ତାର ଝରଣ ଛକରେ ଜଣେ ଯୁବକଙ୍କୁ ପଛରୁ ଜିପ୍ ଚଢାଇ ମାରିଦେବାକୁ ଉଦ୍ୟମ କରାଯାଇଛି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆହତ ଯୁବକ ହେଲେ କାଇମାଟି ପଞ୍ଚାୟତ ଅନ୍ତର୍ଗତ କନ୍ଧପଡା ଗ୍ରାମର ଜ୍ୟୋତି ରଞ୍ଜନ । ସେ ଏବେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡିଛି । ଏନେଇ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ସୂଚନା ମୁତାବକ, ଜ୍ୟୋତି ରଞ୍ଜନ ଓ ତାଙ୍କରି ଗାଁର ବିକାଶ ଦାସଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତ୍ରୁତା ଲାଗି ରହିଥିଲା । ସୋମବାର ଦିନ ଜ୍ୟୋତି ରଞ୍ଜନ କାଇମାଟି ଛକକୁ ଆସିବା ସମୟରେ ବାଟରେ ବିକାଶ ଦାସ ସହିତ ବଚସା ହୋଇଥିଲା । ଏହାପରେ ଜ୍ୟୋତି ଛକରେ ଥିବା ଏକ ସେଲୁନରେ ଚୁଟି କାଟୁଥିବା ବେଳେ ବିକାଶ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲା । ନିଜକୁ ବଞ୍ଚାଇବାକୁ ଜ୍ୟୋତି ସେଲୁନର ଏକ କଇଁଚି ବିକାଶ ଦେହରେ ଭୁସିବାକୁ ଉଦ୍ୟମ କରିଥିଲେ । ହେଲେ ସ୍ଥାନୀୟ ଲୋକେ ଆସି ତାଙ୍କୁ ଅଟକାଇ ଥିଲେ ।
ଏହାମଧ୍ୟ ପଢନ୍ତୁ: ବାଟରୁ ଝାମ୍ପୁଥିଲେ ବ୍ୟାଙ୍କରେ ସଞ୍ଚୁଥିଲେ, ବ୍ଲାକ ଟେପ୍ ବାଇକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ
ଏହାପରେ ଜ୍ୟୋତି ନିଜ ବାଇକ ଯୋଗେ ଘରକୁ ଫେରୁଥିଲେ । ଏତିକି ବେଳେ ରାଗ ଜର୍ଜରିତ ଥିବା ବିକାଶ ଝରଣ ଛକ ନିକଟରେ ତାଙ୍କ ଉପରେ ଜିପ୍ ଚଢାଇ ଦେଇଥିଲା । ଏଥିରେ ଜ୍ୟୋତି ରଞ୍ଜନ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସ୍ବାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଜ୍ୟୋତିଙ୍କ ଭାଇ ପୁରା ଚୁରମାର ହୋଇଯାଇଛି । ଏ ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଉକ୍ତ ବାଇକ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି । ଅନ୍ୟପଟେ ଏହି ଘଟଣା ପରଠୁ ଅଭିଯୁକ୍ତ ବିକାଶ ଦାସ ଫେରାର୍ ଥିବା ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ: ଶ୍ୱଶୁର ଘରେ ଜୀବନ ହାରିଲେ ଡାକ୍ତର ଜ୍ୱାଇଁ ! ପୋଲିସର ତଦନ୍ତ ଆରମ୍ଭ
ଇଟିଭି ଭାରତ, ଢେଙ୍କାନାଳ