ଢେଙ୍କାନାଳ: ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି । ୧୦ଜଣ ତହସିଲ କର୍ମଚାରୀଙ୍କ ସହ ୧୨ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ । ଜଳାଶ୍ରୟର କିଶମ ପରିବର୍ତ୍ତନ କରି ଜମି ଦଲାଲଙ୍କ ହାତରେ ଟେକି ଦେଇଛନ୍ତି ତହସିଲ କର୍ମଚାରୀ । ଆଉ ରାଜସ୍ବକର୍ମଚାରୀ ଓ ଜମି ମାଫିଆଙ୍କ ସଲାସୁତରାରେ ଉକ୍ତ ଜମିକୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା ଉଠାଉଛନ୍ତି । ଢେଙ୍କାନାଳ ତହସିଲରେ ଏପରି ଏକ ଜମି ଦୁର୍ନୀତି ପଦାକୁ ଆସିଛି । ଏ ସମ୍ପର୍କରେ ଢେଙ୍କାନାଳ ଟାଉନ ଥାନାରେ ସଦର ତହସିଲର ଅତିରିକ୍ତ ତହସିଲଦାର , ୧୦ଜଣ କର୍ମଚାରୀଙ୍କ ସମେତ ୧୨ ଜଣଙ୍କ ନାମରେ ସଙ୍ଗୀନ ମାମଲା ରୁଜୁ କରାଇଛି ।
ଫଳରେ ଏହି ଜମି ଦୁର୍ନୀତି ମାମଲାରେ ଟାଉନ ଥାନା ପୁଲିସ ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ, ଅଭିଯୁକ୍ତ ସୂତ୍ରଧର ନରେନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ବେବିନା ବେହେରାଙ୍କୁ ଗତ ରାତିରୁ ଉଠାଇ ନେଇଛି । ଏହି ଜମି ଜାଲିଆତି ମାମଲାରେ ସମ୍ପୃକ୍ତ ଥିବା ତହସିଲର ୫ଜଣ ଅମୀନ, ଦୁଇଜଣ ଡାଟା ଏଣ୍ଟ୍ରି ଅପରେଟର, ଦୁଇଜଣ ରେକର୍ଡ କିପର, ଢେଙ୍କାନାଲ ସହର ଜବହାର୍ଚୌକ ଅଞ୍ଚଳର ନରେନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ବେବିନା ବେହେରା ନାମରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।
ସୂଚନା ମୁତାବକ, ନରେନ୍ଦ୍ର ବେହେରା ଢେଙ୍କାନାଳ ସହରର ସାନଷାଠିଏ ବାଟିଆ ଅଞ୍ଚଳରେ ଥିବା ସୁଆଗି ନାଳ ଜଳାଶ୍ରୟକୁ ତହସିଲ କର୍ମଚାରୀଙ୍କ ସଲାସୁତରାରେ ଚଞ୍ଚକତାର ସହ ଶାରଦ ଦୁଇକୁ କିଶମ ପରିବର୍ତ୍ତନ କରି ତାଙ୍କ ପତ୍ନୀଙ୍କ ନାମରେ ପ୍ଲଟିଂ କରି ବିକ୍ରି କରୁଥିଲେ । ଏନେଇ ଅଭିଯୋଗ ପାଇ ତତ୍କାଳୀନ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ । ପରେ ଯାଞ୍ଚରୁ ଏହି ଚଞ୍ଚକତା ଧରାପଡିବାରୁ ନିର୍ଦ୍ଦେଶ କ୍ରମେ ନୂତନ ତହସିଲଦାର ଟାଉନ ଥାନାରେ ଏହି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ