ଢେଙ୍କାନାଳ: ଜିଲ୍ଲାରେ ଆଉ ଏକ କୋଭିଡ କେୟାର ସେଣ୍ଟର ଉଦଘାଟିତ । ହିନ୍ଦୋଳ ଆଦର୍ଶ ବିଦ୍ୟାଳୟଠାରେ କୋଭିଡ କେୟାର ସେଣ୍ଟରକୁ ଉଦଘାଟନ କଲେ ଜିଲ୍ଲାପାଳ । ଢେଙ୍କାନାଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଆଦର୍ଶ ବିଦ୍ୟାଳୟ ଠାରେ ଏକ କୋଭିଡ କେୟାର ସେଣ୍ଟର ଉଦଘାଟିତ ହୋଇଯାଇଛି ।



ତେବେ ଏହି ୫୦ ଶର୍ଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟରକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଏହି ସେଣ୍ଟରରେ ୨ଜଣ ଡାକ୍ତର, ନର୍ସ, ଏଏନଏମ ଓ ଅନ୍ୟ ଷ୍ଟାପଙ୍କୁ ନେଇ କାର୍ଯ୍ୟକାରୀ କରାଯାଇଛି । ସୁଚନା ମୁତାବକ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଗୋବିନ୍ଦପୁର ଠାରେ ଏକ କୋଭିଡ କେୟାର ସେଣ୍ଟର ରହିଥିବା ବେଳେ ହିନ୍ଦୋଳ ଠାରେ ଆଉ ଏକ କୋଭିଡ ସେଣ୍ଟର ଉଦଘାଟନ କରାଯାଇଛି ।


ଏହି ଅବସରରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନରୋତ୍ତମ ବେହେରା, ସିଡିଏମଓ ସୁଜାତା ରାଣୀ ମିଶ୍ର, ଏଡିଏମଓ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ହିନ୍ଦୋଳ ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ