ଢେଙ୍କାନାଳ: ପୋଲିସ କଲୋନୀରୁ ଗୃହରକ୍ଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପାରିବାରିକ କଳହରୁ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ତେବେ ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ସହରର ପୋଲିସ କଲୋନୀରେ । ରିଜର୍ଭ ପୋଲିସ ଲାଇନ ସ୍ଥିତ ପୋଲିସ କଲୋନୀରେ ଜଣେ ମହିଳା ଗୃହରକ୍ଷୀଙ୍କ ମୃତଦେହ ମିଳିଛି । ଝୁଲନ୍ତା ଅବସ୍ଥାରେ ଗୃହରକ୍ଷୀଙ୍କ ମୃତଦେହକୁ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ମୃତ ଗୃହରକ୍ଷୀ ଜଣଙ୍କ ସୁନିତା ନାୟକ ବୋଲି ଜଣାପଡିଛି ।
ସୁନିତାଙ୍କ ଘର ସଦର ଥାନା ବିଦାବନ୍ଧ ଗ୍ରାମରେ ହୋଇଥିବା ନେଇ ସୂଚନା ରହିଛି । ସୁନିତା ଓ ତାଙ୍କ ସ୍ୱାମୀ ଉଭୟ ଢେଙ୍କାନାଳ ଗୃହରକ୍ଷୀ ବାହିନୀରେ ଗୃହରକ୍ଷୀ ଭାବେ କାମ କରନ୍ତି । ସୁନିତା ପରିବାର ସହ ଢେଙ୍କାନାଳ ରିଜର୍ଭ ପୋଲିସ ଲାଇନ ସ୍ଥିତ ପୋଲିସ କଲୋନୀରେ ରହୁଥିଲେ । ସୁନିତାଙ୍କର ଗୋଟିଏ ପୁଅ ଓ ଝିଅ ଥିବା ଜଣାପଡିଛି ।
ତେବେ ଗତ ରାତିରେ ସୁନିତା ଓ ତାଙ୍କ ସ୍ୱାମୀ ମଧ୍ୟରେ ପାରିବାରିକ କଳହ ହୋଇଥିଲା । ଏଥିପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଆଜି ସକାଳେ ଖବର ପାଇ ଟାଉନ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା । ଏହାପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ମୃତ୍ୟୁର ସଠିକ କାରଣ କଣ ଜଣା ପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେବେ ଆଜି ଭଦ୍ରକର ତାଳପଦା ଗୋପସାହି ଗାଁରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ହେଲେ ତାଳପଦା ଗୋପସାହି ଗାଁର ବିଷ୍ଣୁ ମୋହନ ସାହୁଙ୍କ ଝିଅ କୁନୁରୀ ସାହୁ । ତାଙ୍କ ବୟସ ୨୨ ବର୍ଷ ହୋଇଥିବା ନେଇ ସୂଚନା ।
ସେହିପରି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୀମାନ୍ତ ମଇଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟିର ଖଡ଼କା ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଅନୁସାରେ, ଉଭୟେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରୁ ଘରୁ ବାହାରି ଆସିଥିଲେ । ତେବେ ଆଜି ଦୁହିଁଙ୍କ ମୃତଦେହ ଆମପାଣି ଘାଟିର ଖଡ଼କା ଜଙ୍ଗଲରେ ଥିବା ମହୁଲ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ ସ୍ଥାନୀୟ ବାସିନ୍ଦା । ଏହାପରେ ପେଲିସକୁ ଖବର ଦିଆଯାଇଥିଲା । ତେବେ ଦୁହିଁଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।
ଇଟିଭି ଭାରତ, ଢେଙ୍କାନାଳ