ଦେବଗଡ: ସାରା ଦେଶରେ କୋରୋନା ସଂକ୍ରମଣ ନେଇ ଲକଡାଉନ ଚାଲିଥିବାବେଳେ ଅନେକ ଗରିବ ଓ ଖଟିଖିଆ ଶ୍ରେଣୀ ଲୋକେ ନିଜ ଜୀବିକା ହରାଇଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମହିଳାଙ୍କୁ ଉଚ୍ଚ ସୁଧ ହାରରେ ଋଣ ଯୋଗାଉଥିବା ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା ବର୍ତ୍ତମାନ ଋଣ ଆଦାୟ କରିବା ନାମରେ ମହିଳା ଗୋଷ୍ଠୀଙ୍କୁ ନାନା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି ।
ରିଆମାଳ ବ୍ଲକ ବୈଶ୍ୟପଡା ଗାଁରେ ଶତାଧିକ ମହିଳାଙ୍କୁ ନେଇ ଗୋଷ୍ଠୀ ଗଠନ କରାଯାଇ ଅନ୍ନପୁର୍ଣ୍ଣା , ସମ୍ବନ୍ଧ, ଏସକେଏସ, ଆଶୀର୍ବାଦ, ଆରୋହଣ ଆଦି ମାଇକ୍ରୋଫାଇନାନ୍ସ ସଂସ୍ଥା ଉଚ୍ଚ ସୁଧ ହାରରେ ଋଣ ପ୍ରଦାନ କରିଥିଲେ । ଋଣ ନେଇ ଛୋଟ ମୋଟ ବେପାର କରି ପରିବାର ଚଳାଉଥିବା ଏହି ଗରିବ ମହିଳା ଗୋଷ୍ଠୀ ପ୍ରତି ସପ୍ତାହରେ ଋଣ କିସ୍ତି ଦେଇ ଆସୁଥିଲେ ।
ମାତ୍ର ଗତ ମାର୍ଚ୍ଚ ମାସ ଠାରୁ କୋରୋନା ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଲକଡାଉନ କରାଯାଇଥିବାରୁ ଏହି ଗରିବ ମହିଳାଙ୍କ ରୋଜଗାର ପ୍ରଭାବିତ ହୋଇଛି । ତିନିମାସ ହେଲା ମହିଳା ମାନେ ରୋଜଗାର ହରାଇ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡିଛନ୍ତି । ଏଭଳି ପରିସ୍ଥିତି ଋଣ ନେଇଥିବା ମହିଳା ଋଣ ପରିଶୋଧ ପାଇଁ ସକ୍ଷମ ନଥିବା ବେଳେ ମାଇକ୍ରୋଫାଇନାନ୍ସ କମ୍ପାନୀ ଗୁଡିକର ଏଜେଣ୍ଟ ମାନେ ଘରଘର ବୁଲି ମହିଳାଙ୍କୁ ନାନା ମାନସିକ ନିର୍ଯାତନା ଦେଇ ଜୋର ଜବରଦସ୍ତ ଋଣ ଅର୍ଥ ଆଦାୟ କରି ଆସୁଥିବା ଅଭିଯୋଗ ହୋଇଛି ।
ଏହାର ପ୍ରତିବାଦ କରି ବୈଶ୍ୟପଡା ଗାଁର ଶତାଧିକ ମହିଳା ଦେବଗଡ଼ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକର ଜୋର ଜୁଲମ ଉପରେ ଅଙ୍କୁସ ଲଗାଇବା ପାଇଁ ଅବଗତ କରାଇଛନ୍ତି । ଲକଡାଉନ ଯୋଗୁଁ ଆଜକୁ ଦୀର୍ଘ ତିନିମାସ ହେଲା ଜୀବିକା ହରାଇ ହାତ ଉପରେ ହାତ ଦେଇ ବସିରହିଥିବା ଏହି ମହିଳା ଗୋଷ୍ଠୀଙ୍କ ସମସ୍ୟା ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ