ଦେବଗଡ଼: ମୋବାଇଲ ଓ ଇଣ୍ଟରନେଟର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ସରକାର ଡିଜିଟାଲ ଇଣ୍ଡିଆର ପରିକଳ୍ପନା କରିଛନ୍ତି । ଆଜିକାଲି ସବୁକିଛି କାମ ଚାଲିଛି ମୋବାଇଲ ମାଧ୍ୟମରେ । ହାତରେ ମୋବାଇଲ ନାହିଁ ତ, ସବୁକିଛି ଯେପରି ଅଚଳ । ସରକାରଙ୍କ ଅଧିକାଂଶ ମୌଳିକ ସେବା ମୋବାଇଲ ମାଧ୍ୟମରେ ଉପଲବ୍ଧ ହୋଇପାରୁଛି । ହେଲେ ବିଡମ୍ବନାର ବିଷୟ, ଦେବଗଡ଼ ଜିଲ୍ଲାରେ ଏମିତି ବି ଅନେକ ଅଞ୍ଚଳ ଅଛି, ଯେଉଁଠାରେ ଏଯାଏଁ ମୋବାଇଲ କିମ୍ବା ଇଣ୍ଟରନେଟ ସେବା ଅପହଞ୍ଚ ହୋଇରହିଛି । ତିଳେଇବଣି ବ୍ଲକର ଝରାଗୋଗୁଆ, ପାରପୋଷି, ଲାଇମୁରା, ଡ଼ିମିରିକୁଦା, ଗଣ୍ଡମ ଓ ଝାରମୁଣ୍ଡା ଆଦି 6 ଗୋଟି ପଞ୍ଚାୟତରେ ଏଯାଏଁ ମୋବାଇଲ ସେବା ଉପଲବ୍ଧ ହୋଇପାରି ନାହିଁ ।
ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର: ଖୁଣ୍ଟରେ ଝୁଲୁଛି ମୋବାଇଲ, ନେଟୱାର୍କ ପାଇଁ ଧାଡିରେ ଲୋକେ ଲଇମୁରା ଓ ଝରାଗୋଗୁଆ ପଞ୍ଚାୟତରେ ୨ ଗୋଟି ମୋବାଇଲ ଟାୱାର ସ୍ଥାପନ କରାଯାଇଛି ସତ, ହେଲେ ବୈଷୟିକ ତ୍ରୁଟି କାରଣରୁ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ତେଣୁ ଉକ୍ତ ଛଅ ଗୋଟି ପଞ୍ଚାୟତବାସୀ ମୋବାଇଲ ସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଏହି ଅଞ୍ଚଳର କାଁଭାଁ କେତେକ ସ୍ଥାନରେ ମୋବାଇଲ ନେଟୱାର୍କ ଆସୁଥିବାରୁ ଲୋକେ ସେଠାରେ ଖୁଣ୍ଟ ପୋତି କିମ୍ବା ଗଛ କୋରଡରେ ୱାଇଫାଇ ରଖି ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର କରି ଆସୁଥିବା ଦେଖାଯାଇଛି । ତାହାବି ସବୁ ସମୟରେ ସମ୍ଭବ ହୋଇପାରୁ ନାହିଁ । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ଦୁର୍ଗମ ପ୍ରାନ୍ତରେ ଥିବା ଏହି ଛଅ ଗୋଟି ପଞ୍ଚାୟତରେ ମୋବାଇଲ ଓ ଇଣ୍ଟରନେଟ ସେବାର ଦୟନୀୟ ସ୍ଥିତି ଦେଖିଲେ ଏଠାରେ ସରକାରଙ୍କ ‘ଡିଜିଟାଲ ଇଣ୍ଡିଆ’ ଉପହାସ ପରି ମନେ ହେଉଛି ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ