ଦେବଗଡ: ରୋଜଗାରର ମାଧ୍ୟମ ସାଜିଛି ମହୁଲ ଫୁଲ । ଦୁଇ ପଇସା ରୋଜଗାର କରିବା ଆଶା ନେଇ ବଣ ଜଙ୍ଗଲରେ ବୁଲିବୁଲି ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଦେବଗଡ଼ ଜିଲ୍ଲାର ବଣ ମୂଳକରେ ବସବାସ କରୁଥିବା ଗରିବ ଆଦିବାସୀ ଶ୍ରେଣୀର ମହିଳା ଓ ପୁରୁଷ ।
ସବୁଜ ବଣ ପାହାଡ଼ ପରିବେଷ୍ଟିତ ଦେବଗଡ଼ ଜିଲ୍ଲାରେ ଏବେ ସବୁଠି ମହୁଲ ଫୁଲର ବାସ୍ନା । ସାଧାରଣତଃ ପ୍ରତିବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପ୍ରଚୁର ପରିମାଣରେ ମହୁଲ ଫୁଲ ଦେଖିବାକୁ ମିଳିଥାଏ । ମହୁଲ ଗଛରେ ଫୁଲ ଧରିବା ଦେଖି ଗରିବ ଆଦିବାସୀ ଶ୍ରେଣୀର ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥାଏ । ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀ ଶ୍ରେଣୀର ଲୋକେ ରୋଜଗାର ଆଶାରେ ଜଙ୍ଗଲକୁ ଯାଇ ଉତ୍ସାହର ସହିତ ମହୁଲ ଫୁଲ ସଂଗ୍ରହ କରିଥାନ୍ତି ।
ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ଆଶାନୁରୂପ ମହୁଲ ଫୁଲ ଦେଖିବାକୁ ମିଳିଛି । ପ୍ରତିଦିନ ଭୋର ସକାଳୁ ବିଭିନ୍ନ ଗ୍ରାମାଞ୍ଚଳରେ ଆଦିବାସୀ ଶ୍ରେଣୀର ମହିଳା ଓ ପୁରୁଷ ମାନେ ନିଜ ପିଲା ଛୁଆଙ୍କୁ ସାଥିରେ ନେଇ ଜଙ୍ଗଲକୁ ଯାଇ ମହୁଲ ଫୁଲ ସଂଗ୍ରହ କରି ଆସୁଛନ୍ତି । ଘରେ ଏହାକୁ ଶୁଖାଇ ବେପାରି ମାନଙ୍କୁ ବିକ୍ରି କରି ଦୁଇପଇସା ରୋଜଗାର କରୁଛନ୍ତି ।
ଅନ୍ୟପକ୍ଷେ ପରିଶ୍ରମ ଅନୁସାରେ ଉଚିତ ପାରିଶ୍ରମିକ ପାଉନାହାନ୍ତି ମହୁଲ ସଂଗ୍ରହକାରୀ । ସରକାର ପ୍ରତି ପଂଚାୟତକୁ ମହୁଲ ଫୁଲର ଉଚିତ ମୂଲ୍ୟ ଧାର୍ଯ୍ୟ କରି ବିକ୍ରୟ ବ୍ୟବସ୍ଥା କରିବା ଦାଇତ୍ୱ ହସ୍ତାନ୍ତର କରିଛନ୍ତି ହେଲେ ଦେବଗଡ଼ ଜିଲ୍ଲାରେ ତାହା କାର୍ଯ୍ୟକାରୀ ହେଉ ନଥିବାରୁ ଜିଲ୍ଲାର ମହୁଲ ସଂଗ୍ରହକାରୀ ମାନେ ବେପାରିଙ୍କ ଦ୍ଵାରା ଶୋଷଣର ଶିକାର ହୋଇ ଆସୁଛନ୍ତି । ଜିଲ୍ଲାରେ ମହୁଲ ଫୁଲର ସରକାରୀ ମୂଲ୍ୟ ଧାର୍ଯ୍ୟ କରାଯାଇ ବିକ୍ରୟ ବ୍ୟବସ୍ଥା କରାଗଲେ ମହୁଲ ଫୁଲ ସଂଗ୍ରହକାରୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ନହୋଇ ଅଧିକ ଦୁଇ ପଇସା ରୋଜଗାର କରିବାକୁ ସକ୍ଷମ ହୁଅନ୍ତେ ।
ଦେବଗଡରୁ ସରୋଜ ସତପଥୀ, ଇଟିଭି ଭାରତ