ଦେବଗଡ଼: ବାରକୋଟ ଥାନା ପଡିଆନାଳି ଗାଁରେ ଯୌତୁକ ଦାବି କରି ଜଣେ ମହିଳାଙ୍କୁ ସ୍ୱାମୀ, ଶ୍ୱଶୁର ମିଶି ହତ୍ୟା କରିବା ଅଭିଯୋଗରେ ମଙ୍ଗଳବାର ବାରକୋଟ ପୋଲିସ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ମୃତକ ମହିଳାଙ୍କ ସ୍ୱାମୀ ନେତ୍ରାନନ୍ଦ ସାହୁ (40) ଓ ଶ୍ୱଶୁର ରବି ସାହୁ (70) । ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ଆଇପିସି ଧାରା ଏ 302/34 ରେ ମାମଲା ରୁଜୁ କରିଛି ।
ସୂଚନା ଅନୁଯାୟୀ ପଡ଼ିଆନାଳି ଗାଁର ରବି ସାହୁଙ୍କ ପୁଅ ନେତ୍ରାନନ୍ଦ ସାହୁ 10 ବର୍ଷ ପୂର୍ବେ ସୁନ୍ଦରଗଡ଼ ଜିଲ୍ଲା ମହିଲଡିହା ଥାନା ଅଞ୍ଚଳର ଚନ୍ଦ୍ରମଣି ସାହୁଙ୍କ ଝିଅ ଅଶ୍ବିନୀ ସାହୁଙ୍କୁ ବିବାହ କରିଥିଲେ । ସେମାନଙ୍କର ଏବେ 4-5 ବର୍ଷର ଏକ ପୁତ୍ର ସନ୍ତାନ ଅଛି । ତେବେ ସ୍ୱାମୀ ନେତ୍ରାନନ୍ଦ ସାହୁ ଓ ଶ୍ୱଶୁର ରବି ସାହୁ ମିଶି ଅଧିକ ଯୌତୁକ ପାଇଁ ବୋହୁ ଅଶ୍ବିନୀଙ୍କୁ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିଲେ ।
ଗତ ରବିବାର ରାତି 11ଟା ସମୟରେ ଯୌତୁକ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତହୋଇ ସ୍ୱାମୀ ନେତ୍ରାନନ୍ଦ ଓ ଶ୍ୱଶୁର ରବି ମିଶି ବୋହୁ ଅଶ୍ବିନୀଙ୍କ ଉପରେ କିରାସିନି ଢ଼ାଳି ପୋଡି ଦେଇଥିଲେ । ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣା ସମ୍ପର୍କରେ ମୃତକଙ୍କ ଭାଇ ଟିକେଶ୍ୱର ସାହୁ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ବାରକୋଟ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ଯାଇଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ