ଦେବଗଡ଼: ଆଉ ଏକ କରୁଣ କାହାଣୀ । ଭଙ୍ଗା ଦଦରା ପଲିଥିନ ଟଣା କୁଡ଼ିଆରେ ନିଜ ଦୁଇ ସନ୍ତାନକୁ ନେଇ ଦୟନୀୟ ଭାବେ ଦିନ କାଟୁଛନ୍ତି ରୋଗାଗ୍ରସ୍ତ ଦମ୍ପତି। ମିଳୁନି ସରକାରୀ ସହାୟତା । ବର୍ଷ ପରେ ବର୍ଷ ବିତି ଯାଉଛି ହେଲେ ଏଯାଏଁ ପ୍ରଶାସନର କୃପାଦୃଷ୍ଟି ପଡିନି ଦେବଗଡ଼ ପୋୖରାଞ୍ଚଳରେ ଥିବା ଏକ ଅସହାୟ ପରିବାର ଉପରେ । ଘର ବୋଲି ଅଛି କେବଳ କିଛି ଭଙ୍ଗା ଦଦରା କାନ୍ଥ ଓ କେଇଖଣ୍ଡ ଛିଣ୍ଡା ପଲିଥିନ । ଏହି ପଲିଥିନ ତଳେ ବର୍ଷ ବର୍ଷ ଧରି ଚାରିପ୍ରାଣୀ କୁଟୁମ୍ବକୁ ନେଇ ଦିନ ବିତାଉଛନ୍ତି ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ 9 ନମ୍ବର ୱାର୍ଡ ନିବାସୀ ଦଶରଥ ମୁଣ୍ଡା । ବୟସ ପାଖାପାଖି ଷାଠିଏ ହେବ । ପରିବାର କହିଲେ ସ୍ତ୍ରୀ ତିଳତମା ମୁଣ୍ଡା ଓ ଦୁଇ ଶିଶୁ ପୁତ୍ର ।
ତେବେ ଦଶରଥ ମୂଳମଜୁରୀ କରି ପରିବାର ଚଳାଉଥିଲେ । ହେଲେ ଆଜକୁ ସାତବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଇ ସେ ଆଉ ଚଳ ପ୍ରଚଳ କରିପାରୁ ନାହାନ୍ତି । ଅର୍ଥାଭାବରୁ ଚିକିତ୍ସା କରାଇ ନପାରିବାରୁ ଏବେ ପଙ୍ଗୁ ପ୍ରାୟ ଜୀବନ ବିତାଉଛନ୍ତି । ସ୍ତ୍ରୀ ତିଳତମା ମୁଣ୍ଡା ମଧ୍ୟ ଦୀର୍ଘବର୍ଷ ହେବ ଅସୁସ୍ଥତା କାରଣରୁ ଆଉ କାମଧନ୍ଦା କରିପାରୁ ନାହାନ୍ତି । ତେଣୁ ଏହି ପରିବାର ପକ୍ଷରେ ଚଳିବା କଷ୍ଟକର ହୋଇପଡୁଛି ।
ଘର ଖଣ୍ଡିକ ଭାଙ୍ଗିରୁଜି ଗଲାଣି । କାନ୍ଥ ଗୁଡିକ ଭୁଶୁଡି ପଡିଥିବା ବେଳେ ଛାତ ମଧ୍ୟ ନାହିଁ । କେଇଖଣ୍ଡ ଛିଣ୍ଡା ପଲିଥିନ ଟାଣି ଏଥିରେ ଆଶ୍ରୟ ନେଇଛନ୍ତି ଏହି ପରିବାର । ସରକାରୀ ସହାୟତା ବୋଲି ମିଳୁଛି ମାତ୍ର ଚାଉଳ । ଗରିବ ବାସହୀନ ପରିବାରଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହେଲେ ସରକାରୀ ଆବାସ ଯୋଜନା ଏହି ପରିବାର ପାଇଁ ପାଲଟିଛି ସାତସ୍ବପ୍ନ ।
ମୁଣ୍ଡ ଗୁଞ୍ଜିବାକୁ ଅନ୍ତତଃ ସରକାରୀ ଆବାସ ଖଣ୍ଡିଏ ପାଇବା ପାଇଁ ଦୀର୍ଘ ବର୍ଷ ହେଲା ପ୍ରଶାସନ ନିକଟରେ ଗୁହାରି କରି ଆସୁଛନ୍ତି ଏହି ପରିବାର । ହେଲେ କୌଣସି ସୁଫଳ ମିଳୁନାହିଁ । ତୁରନ୍ତ ଏହି ପରିବାରକୁ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ