ଦେବଗଡ଼: ତିଳେଇବଣି ବ୍ଲକ ଛେପଲିପାଲି ଠାରୁ ଗିନାହଜାକୁ ସଂଯୋଗ କରୁଥିବା ରାସ୍ତାରେ ରହିଛି ମତୁଆଳି ନାଳ । ଏହି ନାଳ ଉପରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରୁ ସାଢ଼େ ଚାରିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ମତୁଆଳି ପୋଲ ।
ଗତ ଦୁଇମାସ ହେଲା ଏହି ପୋଲଟିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ମାତ୍ର ପରିତାପର ବିଷୟ ନିର୍ମାଣର ଦୁଇମାସ ନପୁରୁଣୁ ଏହି ନବନିର୍ମିତ ପୋଲର ଆପ୍ରଚ ରୋଡ଼, ରିଟର୍ଣ୍ଣିଂ ୱାଲ ଓ ପୋଲ ଉଭୟ ପାର୍ଶ୍ଵରେ ଥିବା ପଥର ବନ୍ଧ ଫାଟି ଆଁ କରିଛି ।
କେଉଁ ମୁହୂର୍ତ୍ତରେ ବି ଏହି ରାସ୍ତାଟି ନାଳ ଗର୍ଭରେ ସମ୍ପୂର୍ଣ୍ଣ ଲୀନ ହୋଇଯିବ ଓ ଯୋଗାଯୋଗ ବିଛିନ୍ନ ହୋଇଯାଇପାରେ। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଛେପଲିପାଲି ଓ ଧୋବଲିପଥର ଏହି ଦୁଇ ପଞ୍ଚାୟତର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିର୍ମିତ ଏହି ପୋଲର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା କାରଣରୁ ନବନିର୍ମିତ ପୋଲର ଅବସ୍ଥା ଏଭଳି ସଂକଟାପନ୍ନ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଇବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ