ଦେବଗଡ଼: ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ବାସଗୃହରେ ବିଜୁ ପକ୍କାଘର ଷ୍ଟିକର ଲଗାଯାଉଥିବା ନେଇ ଜିଲ୍ଲା ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଗରିବ ବାସହୀନ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ଏହି କ୍ରମରେ ଦେବଗଡ଼ ଜିଲ୍ଲାର ତିଳେଇବଣି, ରିଆମାଳ ଓ ବାରକୋଟ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଗରିବ ହିତାଧିକାରୀଙ୍କୁ ପକ୍କା ବାସଗୃହ ଯୋଗାଇ ଦିଆଯାଉଛି । ମାତ୍ର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କା ବାସଗୃହ ସମ୍ମୁଖରେ ପଞ୍ଚାୟତ କର୍ତ୍ତୃପକ୍ଷ 'ବିଜୁ ପକ୍କାଘର' ଷ୍ଟିକର ଲଗାଇ ଆସୁଛନ୍ତି । ଏହାକୁ ତୀବ୍ର ବିରୋଧ ଓ ନିନ୍ଦା କରିଛି ଦେବଗଡ଼ ଜିଲ୍ଲା ବିଜେପି । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରି ଦଳୀୟ ପ୍ରଚାର କରିବା ଉଦ୍ଦେଶ୍ୟରେ ଏଭଳି କରୁଥିବା ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ ହେଉଛି ।
ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ଘୋର ପ୍ରତିବାଦ କରି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ବିଜେପି ଯୁବନେତା ସନ୍ତୋଷ କୁମାର ଭୁତିଆଙ୍କ ନେତୃତ୍ୱରେ ଆଜି ସୁଗୁଡା, କଂସର ଓ ଲାଇମୁରା ଆଦି ତିନୋଟି ମଣ୍ଡଳର ଶତାଧିକ ବିଜେପି କାର୍ଯ୍ୟକାର୍ତ୍ତା ତିଳେଇବଣି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାର ଏହାକୁ ବନ୍ଦ ନକଲେ ଆଗାମୀ ଦିନରେ ଏନେଇ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ