ଦେବଗଡ଼: ରାସ୍ତା ମରାମତି ନାମରେ ଚାଲିଛି ବେଧଡ଼କ ଲୁଟ । ଏଭଳି ଅଭିଯୋଗ ଆସିଛି ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ବିଜୟନଗର ପଞ୍ଚାୟତ ଗୋପାଳପାଳି ଅଞ୍ଚଳରୁ । ତେବେ ରାସ୍ତା ମରାମତି ନାମରେ ଅସାଧୁ ଯନ୍ତ୍ରୀ ଓ ଠିକାଦାର 50 ହଜାର ଟଙ୍କା ଲୁଟି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଗତ 2018 ମସିହାରେ ବାରକୋଟ ବ୍ଲକ ବିଜୟନଗର ପଞ୍ଚାୟତର ଗୋପାଳପାଲିଠାରୁ ଡେରାପଥର ଗାଁକୁ ଯାଇଥିବା ରାସ୍ତାର ମରାମତି ପାଇଁ 50 ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ରାସ୍ତା ମରାମତି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମାପ୍ତ ହୋଇଥିଲା ଓ ଏ ବାବଦକୁ 50 ହଜାର ଟଙ୍କା ବିଲ୍ ମଧ୍ୟ ଉଠାଯାଇଥିଲା, ଯାହାକି ଏ ସଂକ୍ରାନ୍ତରେ ମଗାଯାଇଥିବା ଏକ ସୂଚନା ଅଧିକାର ଆଇନରୁ ଜଣାପଡ଼ିଛି ।
ମାତ୍ର ଏହି ରାସ୍ତାଟି ଆଜକୁ ଦୀର୍ଘ 15 ବର୍ଷ ହେବା ପରେ ମଧ୍ୟ ଥରୁଟିଏ ମରାମତି ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗତ 2018 ମସିହାରେ ଏହି ରାସ୍ତାର ମରାମତି ନାମରେ ମିଥ୍ୟା ବିଲ କରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର 50 ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ବିଦ୍ଧିବଦ୍ଧ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ