କଟକ: ପୁଣି ଯୌତୁକ ଜୁଇରେ ବଧୂ । ବାହାଘରର ୫ ବର୍ଷ ପରେ ବି ଯୌତୁକ ନିର୍ଯ୍ୟାତନା । ଶେଷରେ ଚରମ ନିଷ୍ପତ୍ତି ନେଲେ ବଧୂ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଟକ ବୟାଳିଶିମୌଜା ଦେଉଳି ଗ୍ରାମରୁ । କନ୍ଦରପୁର ଅଞ୍ଚଳର ସୁନିତା ନାୟକ ବୟାଳିଶିମୌଜା ଦେଉଳି ଗ୍ରାମର ପ୍ରଶାନ୍ତ ନାୟକଙ୍କୁ ଗତ 5 ବର୍ଷ ତଳେ ବିବାହ କରିଥିଲେ । ହେଲେ ବିବାହର କିଛିଦିନ ପରେ ହିଁ ଶ୍ବଶୁର ଘର ଲୋକେ ଆରମ୍ଭ କରିଦେଇଥିଲେ ଯୌତୁକ ଶୋଷଣ ।
ଏପରିକି ସୁନିତାଙ୍କୁ ଅତ୍ୟାଚାର କରାଯାଉଥିଲା ବୋଲି କହିଛନ୍ତି ସୁନିତାଙ୍କ ମାଆ । ଗତ ମଙ୍ଗଳବାର ରାତିରେ ଆମ ଝିଅକୁ ମାରି ଦେଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପଘର ଲୋକେ । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଛି । ସୁନିତାଙ୍କୁ ନ୍ୟାୟ ଦେବାସହ ଶାଶୁ ଘର ପରିବାରକୁ ଉଚିତ ଦଣ୍ତ ବିଧାନ କରିବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ । ସୂଚନାନୁସାରେ ମଙ୍ଗଳବାର କଟକସଦର, ୪୨ମୌଜା ଥାନା ଅଧୀନସ୍ଥ ଦେଉଳି ଗାଁରେ ପ୍ରଶାନ୍ତ ନାୟକଙ୍କ ପତ୍ନୀ ସୁନିତା ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା ।
ଏହି ଖବର ମୃତ ସୁନିତାଙ୍କ ବାପଘର ଲୋକ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଝିଅ ସୁନିତାର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ସୁନିତାଙ୍କ ଏଭଳି ଅବସ୍ଥା ଦେଖି ଚେତା ହରାଇ ବସିଥିଲେ । ଚେତା ଫେରିବା ପରେ ମୃତ ମହିଳାଙ୍କ ମାଆ ଅଞ୍ଜନା ନାୟକ ଓ ତାଙ୍କ ପରିବାର ଲୋକେ ୪୨-ମୌଜା ଥାନାରେ ଲିଖିତ ଏତଲା ଦେଇଥିଲେ । ବାହାଘରର ୫ ବର୍ଷ ଭିତରେ ସୁନିତାର ଶାଶୁ, ଶ୍ୱଶୁର ଓ ସ୍ଵାମୀ ଅଧିକ ଯୌତୁକ ସାମଗ୍ରୀ ଆଣିବା ପାଇଁ ବାରମ୍ବାର ସୁନିତା ଉପରେ ଚାପ ପକାଉଥିଲେ । ଏଥିପାଇଁ ଘରେ ଅନେକଥର ପାଟିତୁଣ୍ଡ ମଧ୍ୟ ହୋଇଛି ।
ତେଣୁ ଏପରି ସ୍ଥଳେ, ସୁନିତାର ସ୍ଵାମୀ, ଶାଶୁ, ଶ୍ଵଶୁର ଓ ପରିବାର ଲୋକେ ମିଶି ତାକୁ ମାରି ଦେଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ସୁନିତାଙ୍କ ମାଆଙ୍କ ଏତଲା ଆଧାରରେ, ୪୨-ମୌଜା ଥାନା ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସ୍ଵାମୀ ପ୍ରଶାନ୍ତ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।
ଇଟିଭି ଭାରତ, କଟକ