କଟକ: କଟକ ବନାଞ୍ଚଳ ଡାଳିଯୋଡା ରେଞ୍ଜ ଟାଙ୍ଗୀ ଥାନା ଅନ୍ତର୍ଗତ ସଫା ଜଙ୍ଗଲରୁ ୪ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଚନ୍ଦନ କାଠ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ମୁତାବକ, ଏସଟିଫ ଓ ଟାଙ୍ଗୀ ପୋଲିସର ମିଳିତ ଚଢାଉ କରାଯାଇ ସଫା ଜଙ୍ଗଲରୁ କାଠକୁ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଏସଟିଫ ଅଧିକାରୀମାନେ ବେପାରୀ ବେଶରେ ଯାଇ ତିନି ଜଣ ଚନ୍ଦନ କାଠ ମାଫିଆଙ୍କ ପାଖରେ ପହଞ୍ଚି କାଠର ମୂଲଚାଲ କରିଥିଲେ ।
ମୂଲଚାଲ କରିବା ସମୟରେ ପୂର୍ବ ଯୋଜନା ମୁତାବକ ଟାଙ୍ଗୀ ପୋଲିସ ଓ ଏସଟିଫ ଟିମ ତିନି ଜଣ କାଠ ମାଫିଆଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୪.୬୦ କ୍ବିଣ୍ଟାଲ ଚନ୍ଦନ କାଠ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଆଗକୁ ଏହି ଚଢାଉ ଜାରି ରହିବ ।
ବଡକଥା ହେଉଛି ଡାଳିଯୋଡା ରେଞ୍ଜରେ ଚନ୍ଦନ କାଠ ,ଶାଗୁଆନ କାଠର ଚୋରା ଚାଲଣ ହେଉଥିବା ବେଳେ ବନବିଭାଗ କିଭଳି ଟେର ପାଉନି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଏକ ମାସ ମଧ୍ଯରେ ଦୁଇଦୁଇ ଥର ଶାଗୁଆନ କାଠ ଓ ଚନ୍ଦନକାଠ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ