କଟକ: ଜିଲ୍ଲାର ଚୌଦ୍ବାର କେନ୍ଦ୍ରୀୟ କାରାଗାରରେ ସଜା କାଟୁଥିବା କଏଦୀଙ୍କ ସେଲ୍ଫି ଭାଇରାଲ। ସୋସିଆଲ ମିଡିଆରେ ଘୁରି ବୁଲୁଛି ସେମାନଙ୍କର ଫଟୋ। ୱାର୍ଡ ସାମ୍ନାରେ ବସି କଏଦୀ ମୋବାଇଲରେ ଫଟୋ ଉଠାଉଛନ୍ତି। କଡା ସୁରକ୍ଷା ବଳୟ ମଧ୍ୟରେ ରହୁଥିବା ଜେଲ ଭିତରକୁ ମୋବାଇଲ କେମିତି ଗଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯୋବ୍ରା ଅଞ୍ଚଳରେ ମାଛ ବ୍ୟବସାୟୀ ତପନ ନାୟକଙ୍କ ହତ୍ୟା ଘଟଣାରେ ଚୌଦ୍ବାର ଜେଲରେ ସଜା କାଟୁଥିବା ହାପି ମହାନ୍ତି ଓ ତାର ୪ ସହଯୋଗୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ କଏଦୀ ଜେଲରେ ଥାଇ ମଜା ମସ୍ତି କରୁଥିବାର ଫଟୋ ଏବଂ ସେଲ୍ଫି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଜେଲ ଭିତରକୁ କେମିତି ମୋବାଇଲ ଗଲା? ସେମାନଙ୍କୁ କିଏ ମୋବାଇଲ ଦେଲା ? ଜେଲ ଭିତରେ କଏଦୀ ମୋବାଇଲ କେଉଁଠୁ ଆଣିଲେ? ଯଦି କଏଦୀ ଆଣ୍ଡ୍ରଏଡ଼ ଫୋନ ଜେଲ ଭିତରେ ବ୍ୟବହାର କରୁଛନ୍ତି, ସେମାନେ ସେଠାରେ ଥାଇ ମଧ୍ୟ ଅପରାଧିକ ଯୋଜନା କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଅନ୍ୟ ବଡ଼ ବଡ଼ ଅପରାଧି ଏପରି ମୋବାଇଲ ବ୍ୟବହାର କରୁନଥିବେ ତାହାର କ’ଣ ଗ୍ୟାରେଣ୍ଟି ଅଛି। ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଜେଲ ପରିସରକୁ ମୋବାଇଲ ଯିବା ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ