ନିଆଳି: ସ୍କୁଲ ପରିସରରୁ ଛାତ୍ରଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ । ଗୋଡ଼ହାତ ବାନ୍ଧି ଫେରାର୍ ହୋଇଗଲେ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ସଳେଇବେଦପୁର ସ୍ଥିତ ରାଧାକାନ୍ତ ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟରରୁ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଦୁଇ ଅଜଣା ଯୁବକ ବିଦ୍ୟାଳୟ ପଛ ପଟରେ ଥିବା ଏକ ଘରେ ହାତଗୋଡ଼ ବାନ୍ଧି ଚମ୍ପଟ ମାରିଥିବା ନେଇ ସମ୍ପୃକ୍ତ ଛାତ୍ର ଏବଂ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସଳେଇବେଦପୁର ସ୍ଥିତ ରାଧାକାନ୍ତ ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ହେଉଛନ୍ତି ରୁଦ୍ର ମାଧବ ମଲ୍ଲିକ । ସେ ତୃତୀୟ ଶ୍ରେଣୀରେ ପଢନ୍ତି । ଶୁକ୍ରବାର ଦିନ ପାଖାପାଖି ୧୨ଟା ୩୦ ମିନିଟ ସମୟରେ ପରିସ୍ରା ଲାଗି ବାହାରକୁ ଆସିଥିଲେ । ଏହି ସମୟରେ ଦୁଇ ଜଣ ଅଜଣା ଯୁବକ ରୁଦ୍ର ମାଧବ ମଲ୍ଲିକଙ୍କୁ ଡାକି ନେଇ ବିଦ୍ୟାଳୟର ଏକ କୋଠରୀରେ ହାତଗୋଡ଼ ବାନ୍ଧି ଚମ୍ପଟ ମାରିଥିବା ସମ୍ପୃକ୍ତ ଛାତ୍ର ଏବଂ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଜଣା ଯୁବକ ଦ୍ବୟ ଦୁଇ ହାତକୁ ପଛ କରି ଏକ କଦଳୀ ପାଟୁକାରେ ହାତ ବାନ୍ଧି ପାଟିରେ ସୋଲ ପୁରାଇ ଦେଇଥିଲେ ।
ଛାତ୍ର ଜଣଙ୍କ କୌଶଳକ୍ରମେ ଖସି ଆସି ଘରେ ସବୁ କଥା କହିଥିଲେ । ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି ଏହାର ତଦନ୍ତ ହେଲେ ଜଣାପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । କିନ୍ତୁ ଛାତ୍ର ଜଣଙ୍କ ଯଦି ପରିସ୍ରା ପାଇଁ ଯାଇଥିଲେ, ତେବେ ଶ୍ରେଣୀ ଗୃହକୁ ଆସିବା ପାଇଁ ବିଳମ୍ବ ହେବା ପରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ କିମ୍ବା କର୍ତ୍ତୃପକ୍ଷ ଖୋଜି ନଥିବା ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ: ହାତଗୋଡ ବାନ୍ଧି ଲୁଟିନେଲେ ୮ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଅଳଙ୍କାର
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କହିବା କଥା, "ଛାତ୍ର ଜଣଙ୍କ ପରିସ୍ରା ପାଇଁ ଯାଇଥିଲେ । କେହି ତାଙ୍କ ହାତଗୋଡ଼ ବାନ୍ଧି ଥିବା କହୁଛି । ହେଲେ ଘଟଣାରେ କେତେ ସତ୍ୟତା ରହିଛି ତାକୁ ନେଇ ଦ୍ବନ୍ଦରେ ରହିଛୁ । ବିଦ୍ୟାଳୟରେ ୧୦ଟି ଶ୍ରେଣୀ ଗୃହକୁ ମାତ୍ର ୬ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ । ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହିତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ସମ୍ଭବ ନୁହେଁ ।" ସେପଟେ ବିଦ୍ୟାଳୟ ପାଚେରୀ ନଥିବା କାରଣରୁ ଯେ କେହି ବିଦ୍ୟାଳୟ ପରିସରକୁ ପଶିଯିବ ଏଥିରେ ସନ୍ଦେହ ନାହିଁ । ଛାତ୍ର ରୁଦ୍ର ମାଧବ ମଲ୍ଲିକଙ୍କ ଏଭଳି କଥା ଶୁଣି ପରିବାର ଲୋକେ ଆଶା ଓ ଆଶଙ୍କାରେ ଅଛନ୍ତି । ଏ ସମ୍ପର୍କରେ ପରିବାର କିମ୍ବା ବିଦ୍ୟାଳୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।
ଇଟିଭି ଭାରତ, ନିଆଳି