କଟକ: ସାଲେପୁରରେ ଅଭାବନୀୟ ଘଟଣା । ହାତଗୋଡ଼ ବନ୍ଧା ଅବସ୍ଥାରେ କଲେଜ ଛାତ୍ରୀ ଉଦ୍ଧାର । ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଏକ ପଥପ୍ରାନ୍ତ ପରିତ୍ୟକ୍ତ ଗୃହ ଭିତରୁ ତାଙ୍କୁ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ସାଲେପୁର ସ୍ବୟଂଶାସିତ କଲେଜର ଜଣେ ନାବାଳିକା ଛାତ୍ରୀ ବୋଲି କୁହାଯାଉଛି । ତେବେ ପୋଲିସ ସହାୟତାରେ ଉଦ୍ଧାର ଛାତ୍ରୀଙ୍କୁ SCB ସ୍ଥାନାନ୍ତର କରାଯାଇଛି ।
ନାବାଳିକା କଲେଜ ଛାତ୍ରୀଙ୍କୁ କେହି ଦୁର୍ବୃତ୍ତ ହାତଗୋଡ଼ ବାନ୍ଧି ସେଠାରେ ପକାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ସେ ଚେତାଶୂନ୍ୟ ଅବସ୍ଥାରେ ଏକ ପରିତ୍ୟକ୍ତ ଗୃହରେ ପଡ଼ି ରହିଥିଲେ । ସ୍ଥାନୀୟ ଲୋକେ ଓ କଲେଜ ଛାତ୍ରଛାତ୍ରୀ ତାଙ୍କୁ ଉଦ୍ଧାର କରିଥିଲେ । ପୀଡିତା ସାଲେପୁର ସ୍ବୟଂଶାସିତ କଲେଜର ଛାତ୍ରୀ ବୋଲି କୁହାଯାଉଛି । ତାଙ୍କୁ କେହି ଦୁର୍ବୃତ୍ତ ଓଢ଼ଣୀରେ ହାତଗୋଡ଼ ବାନ୍ଧି ଦେଇଥିଲା । ଚେତାଶୂନ୍ୟ ଅବସ୍ଥାରେ ଏକ ପରିମଳ ଗୃହରେ ପଡିରହିବା ଦେଖି କିଛି କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ସାଲେପୁର ପୋଲିସକୁ ଖବର ଦେବା ସହ ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି ।
ନାବାଳିକା ଛାତ୍ରୀ ଜଣଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ କହିଛନ୍ତି, "ବିଲରେ କାମ କରିବା ସମୟରେ ଦୁଇ ଜଣ ପିଲା ଆସି ଏ ସମ୍ପର୍କରେ ସୂଚନା ଦେଇଥିଲେ । ଆମେ ଘଟଣାସ୍ଥଳରେ ଦେଖିବା ସମୟରେ ଛାତ୍ରୀ ଜଣଙ୍କର ଗୋଡ଼, ହାତ ଓ ମୁହଁ ବନ୍ଧା ହୋଇଥିଲା । ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ନିକଟସ୍ଥ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ସୂଚନା ଦେଇଥିଲୁ । ଏହାପରେ ବହୁ ଲୋକ ସେ ଯାଗାରେ ଏକାଠି ହୋଇ ଛାତ୍ରୀ ଜଣଙ୍କୁ ମେଡିକାଲ ନେଇଛନ୍ତି ।" ତେବେ ଏନେଇ ଘଟଣାର ଛାନ୍ଭିନ ଆରମ୍ଭ କରିଛି ସାଲେପୁର ପୋଲିସ । କିଏ ଏବଂ କାହିଁକି ଛାତ୍ରୀ ଜଣଙ୍କୁ ଏଭଳି ବାନ୍ଧି ପକାଇଥିଲା ତାହାର ତଦନ୍ତ କରୁଛି ପୋଲିସ । କିନ୍ତୁ ଏପର୍ଯ୍ୟନ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ ।
ଇଟିଭି ଭାରତ, କଟକ