କଟକ: କୋରୋନା ମହାମାରୀକୁ ମୂଳପୋଛ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ବାହାରିନାହିଁ । କିନ୍ତୁ ପ୍ଲାଜମା ଥେରାପି ମାଧ୍ୟମରେ କୋରୋନା ରୋଗୀ ସୁସ୍ଥ ହେଉଛନ୍ତି । ତେବେ ଜିଲ୍ଲାରେ ପ୍ଲାଜମା ଦାନ କରୁଥିବା ଅଗ୍ନିଶମ କର୍ମଚାରୀଙ୍କୁ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କୃତଜ୍ଞତା ଜଣାଇଥିବା ସୂଚନା ମିଳିଛି ।
ଗତ ମାର୍ଚ୍ଚ ମାସ ଠାରୁ ରାଜ୍ୟରେ କୋରୋନା ତାଣ୍ଡବ ରଚି ଚାଲିଛି । ଏହି ମହାମାରୀରେ ଆକ୍ରାନ୍ତ ହୋଇ ଧନୀଶ୍ରେଣୀ, ମାନ୍ୟଗଣ୍ୟ ଲୋକଙ୍କ ଠାରୁ ଆରମ୍ଭ କରି ବହୁ ଲୋକଙ୍କ ମୁଣ୍ଡ ଗଡିଲାଣି । ତେବେ ଆମ ଦେଶ ସମେତ ବିଶ୍ବର ଅନେକ ଅଗ୍ରଣୀ ଦେଶଗୁଡିକ କୋରୋନା ମହାମାରୀକୁ ସଂପୂର୍ଣ୍ଣ ଭାବେ ବିଲୀନ କରିବା ପାଇଁ ଟିକା ପ୍ରସ୍ତୁତ କରି ଚାଲିଛନ୍ତି । କିନ୍ତୁ ବର୍ତ୍ତମାନ ସବୁ ପ୍ରର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇ ଏକ ସଫଳ ଟିକା ବାହାରି ପାରିନାହିଁ । ତଥାପି ଡାକ୍ତରମାନେ ବିଭିନ୍ନ ଉପାୟ ଅବଲମ୍ବନ କରି କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ଲାଗିଛନ୍ତି ।
ତେବେ ରାଜ୍ୟ ସମେତ ଜିଲ୍ଲାରେ ପ୍ଲାଜମା ଥେରାପି ମାଧ୍ୟମରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ଏହି ଚିକିତ୍ସା ଦ୍ବାରା ଅନେକ ଗୁରୁତର କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଜିଲ୍ଲାରେ ପ୍ଲାଜମା କଥା ପଡିଲେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ କଥା ମନେ ପଡିଥାଏ । କାରଣ ପ୍ଲାଜମା ଦାନରେ ଅଗ୍ନିଶମ କର୍ମଚାରୀଙ୍କ ଅବଦାନ ଅତୁଳନୀୟ। ଜିଲ୍ଲାରେ ଆଜି ପର୍ଯ୍ୟନ୍ତ 100 ଜଣ ଅଗ୍ନିଶମ କର୍ମଚାରୀ କୋରୋନାରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିସାରିଥିବା ସୂଚନା ମିଳିଛି।
ପ୍ଲାଜମା ଦାନ କରୁଥିବା କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଅଗ୍ନିଶମ କାର୍ଯ୍ୟାଳୟରେ ମନ୍ତ୍ରୀ ସେମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଅଗ୍ନିଶମ ଡିଜି ମଧ୍ୟ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଥିବା ସୂଚନା ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ