କଟକ: ଆର୍ଦ୍ର ଭୂମି ସୁରକ୍ଷା ସମ୍ପର୍କିତ ଦାଖଲ ଜନସ୍ବାର୍ଥ ମାମଲାର ଶୁଣାଣି କରି ଚିଲିକା ଓ ଭିତରକନିକା ଭଳି ଆର୍ଦ୍ରଭୂମି ଅଞ୍ଚଳରେ ବେଆଇନ ଚିଙ୍ଗୁଡି ଘେରି ହଟାଇବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିପାଇଁ ୪ ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ଡିଜିଙ୍କୁ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଚିଙ୍ଗୁଡ଼ି ଘେରି ଉଛେଦ କରି ତାହାର ଭିଡିଓ ଉତ୍ତୋଳନ କରି ହାଇକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସମ୍ପୃକ୍ତ ୪ଟି ଜିଲ୍ଲାପାଳମାନେ ଚେନ୍ନାଇର ନ୍ୟାସନାଲ ସେଣ୍ଟର ଫର ସଷ୍ଟେନେବୁଲ କୋଷ୍ଟାଲ ମ୍ୟାନେଜମେଣ୍ଟ ସହ ଯୋଗାଯୋଗ କରି ବେଆଇନ ଚିଙ୍ଗୁଡ଼ି ଘେରିର ସାଟେଲାଇଟ ଚିତ୍ର ଉତ୍ତୋଳନ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ଏହାପରେ ସେହି ଫଟୋ ହାଇକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ମଧ୍ୟ ରହିଛି। ଏହା ସହିତ ବେଆଇନ ଚିଙ୍ଗୁଡି ଘେରି କରିଥିବା ବ୍ୟକ୍ତିଙ୍କୁ ଜେଲ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ସେହିପରି ଚିଲିକା ଓ ଭିତରକନିକା ଅଞ୍ଚଳର ଥାନା ଅଞ୍ଚଳରେ ପ୍ରତ୍ୟେକ ମାସରେ ଘେରି ଉଛେଦ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ପୋଲିସ ଡିଜିଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁ ଘେରି ଭଙ୍ଗାଯିବ ସେହି ସାମଗ୍ରୀ ସବୁ ଜବତ କରିବା ସହ ତୁରନ୍ତ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବାର ବ୍ୟବସ୍ଥା କରାଯିବ । ଆର୍ଦ୍ରଭୂମି ସୁରକ୍ଷା ପାଇଁ ଚିଲିକା ଓ ଭିତରକନିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ପୂର୍ବରୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ନିର୍ଦ୍ଦେଶନାମା ଆଧାରରେ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିଲା । କମିଟିର ନିଷ୍ପତ୍ତି ମୁତାବକ ଏହି ଚାରି ଜିଲ୍ଲାର ଜିଲ୍ଲାପାଳ ବିଭିନ୍ନ ବିଭାଗର ସହାୟତା ନେଇ ବେଆଇନ ଚିଙ୍ଗୁଡି ଘେରି ସବୁକୁ ଉଚ୍ଛେଦ କରିବା କଥା । ପ୍ରତ୍ୟେକ ମାସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବାକୁ ନିଷ୍ପତ୍ତି ହୋଇଥିଲା ।
ହାଇକୋର୍ଟରେ ମଧ୍ୟ ଆକ୍ସନ ଟେକେନ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବା ଲାଗି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେହିସବୁର ବ୍ୟତିକ୍ରମ ହେବା କାରଣରୁ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ହାଇକୋର୍ଟ କହିଛନ୍ତି । ଏହି ମାମଲାରେ ଆମିକସ କ୍ୟୁରୀ ଭାବେ ଆଇନଜୀବି ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ