ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ଗଣେଶ, ଗଣପତି, ବିନାୟକ, ଗଜାନନ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ହେଉଛନ୍ତି ଦେବାଧି ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ। ରିଦ୍ଧି ଓ ସିଦ୍ଧିଙ୍କର ସେ ହେଉଛନ୍ତି ସ୍ବାମୀ। ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ହିନ୍ଦୁମାନେ ଜାତି, ଭାଷା, ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ ।
କୁହାଯାଏ, ଭାରତୀୟମାନେ ବିଦେଶକୁ ବେପାର-ବାଣିଜ୍ୟ ପାଇଁ ଗଲେ ସାଥୀରେ ଗଣେଶ ମୂର୍ତ୍ତୀ ନେଇଥାନ୍ତି । ବିଶ୍ବାସ ରହିଛି କି ଗଣେଶ ମୂର୍ତ୍ତୀ ପାଖରେ ଥିଲେ ଭୟ ଦୂର ହେବା ସହ ସୁଖ-ସମୃଦ୍ଧି ପାଇଥାଏ। ଫଳରେ ବିଦେଶରେ ମଧ୍ୟ ଗଣେଶ ପୂଜା ଏକ ପ୍ରଚଳିତ ପରମ୍ପରା ହୋଇଗଲା। ଜାପାନୀମାନେ ଗଣେଶଙ୍କୁ 'କନଗିତେନ୍' ନାମରେ ପୂଜା କରନ୍ତି । ଉତ୍ତର ଭାରତରେ ପ୍ରଭୁ ଗଣେଶଙ୍କୁ ବେଦ-ବ୍ୟାସ ନାମରେ ପୂଜା କରାଯାଏ।
ଗଣେଶଙ୍କର ଅନେକ ନାଁ:
ଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ । ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉ ମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ। ଗଣେଶଙ୍କ ଅନ୍ୟ କେତେକ ନାମ ହେଲା ଏକଦନ୍ତ, ଗଣପତି, ଗଜବକ୍ର, ବକ୍ରତୁଣ୍ଡ, ବିଘ୍ନରାଜେନ୍ଦ୍ର, ବିନାୟକ, ଧୂମ୍ରବର୍ଣ୍ଣ, ଭାଲଚନ୍ଦ୍ର, ଲମ୍ବୋଦର, ସୁମୂଖ, ବିଘ୍ନହର୍ତ୍ତା, ବିଘ୍ନହର, ଧୂମ୍ରକେତୁ, ଗଣାଧ୍ୟକ୍ଷ, ବ୍ରହ୍ମଣସ୍ପତୀ, ମୟୂରେଶ୍ବର, ବିଘ୍ନେଶ୍ବର ଓ ଶୂର୍ପକର୍ଣ ଇତ୍ୟାଦି ।
ଗଣେଶଙ୍କ ବଡ ପେଟ:
ଲମ୍ବା ଉଦର ବା ବଡ଼ ପେଟ ଥିବାରୁ ତାଙ୍କୁ 'ଲମ୍ବୋଦର' ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତ ଅର୍ଥରେ ଲମ୍ବୋଦର ତାଙ୍କୁ ହିଁ କୁହାଯାଏ ଯିଏ ସବୁକିଛି ଭଲ ବିଦ୍ୟା ଗ୍ରହଣ କରିପାରନ୍ତି ଏବଂ ସାଇତି ପାରନ୍ତି । ଗଣେଶ ପାର୍ବତୀଙ୍କ ନୁପୂରର ଶବ୍ଦଶୁଣି ସଙ୍ଗୀତ ଶିଖୁଥିଲେ । ପିତା ଶିବଙ୍କ ଡମ୍ବରୁର ଶବ୍ଦଶୁଣି ଚାରିବେଦ ଆୟତ୍ତ କରିଥିଲେ । ତାଙ୍କର ଏହି ବିଶାଳ ବିଦ୍ୟାର ଭଣ୍ଡାର ହେଉଛି ତାଙ୍କର ପେଟ । ଏହି କାରଣରୁ ତାଙ୍କ ପେଟ ଖୁବ୍ ବଡ ।
ଗଣେଶଙ୍କ ସ୍ତୁତି:
'ଜୟ ଗଣେଶ ଜୟ ଗଣେଶ, ଜୟ ଗଣେଶ ଦେବା...
ମାତା ଜା କି ପାର୍ବତୀ, ପିତା ମହାଦେବା...
ଏକ ଦନ୍ତ ଦୟାବନ୍ତ, ଚାର ଭୁଜା ଧାରୀ...
ମାଥେ ପେ ତିଲକ ସୋହେ, ମୁଷେ କି ସୱାରୀ'....
'ବକ୍ରତୁଣ୍ଡ ମହାକାୟ, ସୂୟ୍ୟକୋଟି ସମପ୍ରଭଃ
ନିବିଘ୍ନ କୁରୁମେଦେବଃ, ସର୍ବକାୟଷୁ ସର୍ବଦା'...
'ଓଁ ଗଂ ଗଣପତୟେ ନମୋ ନମଃ, ଶ୍ରୀ ସିଦ୍ଧି ବିନାୟକ ନମୋ ନମଃ...
ଅଷ୍ଟ ବିନାୟକ ନମୋ ନମଃ...ଗଣପତି ବାପ୍ପା ମୋରେୟା'...
ବାସ୍ତୁଶାସ୍ତ୍ରରେ ଗଣେଶ:
ପ୍ରଥମ ପୂଜ୍ୟ ଶ୍ରୀଗଣେଶ । ନୂତନ ଘରେ ପ୍ରବେଶ ହେଉ ଅବା ଶୁଭ କାର୍ଯ୍ୟ, ସର୍ବ ପ୍ରଥମେ ଲୋଡା ହୁଅନ୍ତି ବିଘ୍ନ ବିନାଶକ । କାରଣ ତାଙ୍କୁ ପୂଜା କଲେ ସବୁ କିଛି ମଙ୍ଗଳ ହୋଇଥାଏ। ବାସ୍ତୁଶାସ୍ତ୍ରରେମଧ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ବପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରିପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ ।
1) ଯଦି ଘରର ମୁଖ୍ୟ ଦ୍ବାର ଦକ୍ଷିଣ ଦିଗକୁ ଖୋଲୁଥାଏ, ତେବେ ସେହି ଦ୍ବାରର ଉପରେ (ତାହା ଘର ଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ ।
2) ଘରେ ପ୍ରବେଶ କରିବା ମାତ୍ରେ ଯଦି କିଛି ଅଜଣା ନକାରାତ୍ମକ ଭାବ ଉତ୍ପନ୍ନ ହେଉଥିବା ମନେହୁଏ, ତେବେ ଘର ଭିତରେ ପ୍ରବେଶ ଦ୍ବାରକୁ ମୁହଁ କରି ଅନାଇବା ଭଳି ୯ ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରିବା ଭଲ ।
3) ଘରର ଯେ କୌଣସି ଦିଗରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ ନୁହେଁ। ବରଂ ଗଣେଶଙ୍କ ଫଟୋ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ, ଯେମିତିକି ତାଙ୍କୁ ପ୍ରଣାମ କରିବାବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ। ଅର୍ଥାତ ଶ୍ରୀଗଣେଶଙ୍କ ମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ ।
4) ଘରର ମଧ୍ୟଭାଗ ଅର୍ଥାତ ବ୍ରହ୍ମାସ୍ଥଳରେ ତୁଳସୀ ଗଛ ସହିତ ଶ୍ରୀଗଣେଶଙ୍କ ପୂଜା କଲେ ସମ୍ପୂର୍ଣ୍ଣ ଘରକୁ ସକାରାତ୍ମକ ଊର୍ଜା ମିଳିଥାଏ ।
5) ଘରେ ଶ୍ରୀଗଣେଶଙ୍କର ବସିଥିବା ତଥା ଆଶୀର୍ବାଦ ଦେଉଥିବା ପ୍ରତିମା ପୂଜା କରିବାବେଳେ ବ୍ୟବସାୟିକ ପରିସରରେ ଭଗବାନଙ୍କର ଅନ୍ୟ ମୁଦ୍ରାର ପ୍ରତିମା ତଥା ଫଟୋ ରଖିବା ଭଲ ।
6) ଶ୍ରୀଗଣେଶଙ୍କର ଫଟୋ କିମ୍ବା ମୂର୍ତ୍ତି ଏପରି ସ୍ଥାନରେ ରଖନ୍ତୁ ନାହିଁ, ଯାହାର ପଛପଟେ କିମ୍ବା ଆଗରେ ଶୌଚାଳୟ ଥିବ ।
କେମିତି କରିବେ ଗଣେଶ ପୂଜା:
ଗଣେଶ ପୂଜା ଆସିବା ମାତ୍ରେ ଚାରିଆଡେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ସବୁ ରାଜ୍ୟରେ ଭଳିକି ଭଳି ଗଣେଶ ପୂଜା ହୋଇଥାଏ। କିଏ କେଉଁ ପ୍ରକାର ଗଣେଶଙ୍କ ଆବାହନ କରିଥାଆନ୍ତି। କିନ୍ତୁ ବିଘ୍ନ ବିନାଶକଙ୍କ ପୂଜା ପାଇଁ କିଛି ନିର୍ଦ୍ଦିଷ୍ଟ ବିଧି ରହିଛି, ଯାହାକୁ ଆପଣାଇବା ଦ୍ବାରା ଆପଣଙ୍କ ସମସ୍ତ ମନୋକାମନା ପୂରଣ ହୋଇଥାଏ ।
ଆସନ୍ତୁ ଜାଣିବା...
୧. ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରିବା ପରେ ନୂଆ କିମ୍ବା ଧୁଆ ହୋଇଥିବା ପୋଷାକ ପିନ୍ଧନ୍ତୁ । ଏହାପରେ ଫୁଲ ତୋଳନ୍ତୁ ଏବଂ କୌଣସି ଏକ ପରିଷ୍କାର ସ୍ଥାନରୁ କିମ୍ବା ମନ୍ଦିର ଭିତରୁ ୨୧ଟି ଦୁବ ଆଣନ୍ତୁ ।
୨. ବ୍ରାହ୍ମଣଙ୍କ ଦ୍ବାରା ସଂକଳ୍ପ କରିବା ପରେ ଗଣେଶ ମୂର୍ତ୍ତିଙ୍କୁ ଫୁଲ, ଚାଉଳ କିମ୍ବା ନୂଆ କପଡ଼ାର ଆସନ ଉପରେ ଦକ୍ଷିଣ ଦିଗକୁ ମୁଖ କରି ସ୍ଥାପନା କରନ୍ତୁ ।
୩. ମୂର୍ତ୍ତିର ଡାହାଣ ପାଶ୍ବର୍ରେ ତମ୍ବା କିମ୍ବା ରୂପା କଳସରେ ପାଣି ରଖନ୍ତୁ । ଚାଉଳ କିମ୍ବା ଫୁଲ ଉପରେ କଳସ ରଖିବା ଉଚିତ୍ । ଠାକୁରଙ୍କ ବାମ ପାର୍ଶ୍ବରେ ଘିଅ ଦୀପ ରଖନ୍ତୁ । ଏହି ଦୀପ ତଳେ ଫୁଲ କିମ୍ବା ଚାଉଳ ରଖନ୍ତୁ ।
୪. ଯେତେବେଳେ ଗଣେଶଙ୍କୁ ଫୁଲ କିମ୍ବା ଦୁବ ଦେବେ, ସେତେବେଳେ ଶ୍ରୀ ଗଣେଶଙ୍କର ୧୦ଟି ନାମ ଉଚ୍ଚାରଣ କରନ୍ତୁ ଏବଂ ପ୍ରତି ନାମ ଉଚ୍ଚାରଣ ସମୟରେ ଦୁଇଟି ଦୁବ ଚଢ଼ାନ୍ତୁ । ଶେଷରେ ରହିଥିବା ଗୋଟିଏ ଦୁବକୁ ବରଦା ଗଣେଶଙ୍କ ନାମରେ ଚଢ଼ାନ୍ତୁ ।
୫. ଗଣେଶଙ୍କୁ ଚନ୍ଦନ, ସିନ୍ଦୂର ଓ ଅକ୍ଷତ ସହିତ ପୂଜା ଓ ଆବାହନ କରନ୍ତୁ । କିନ୍ତୁ ମନେ ରଖନ୍ତୁ ଗଣେଶଙ୍କୁ ଆଦୌ ତୁଳସୀ ଚଢ଼ାନ୍ତୁ ନାହିଁ । ଗଣେଶଙ୍କ ଫଟୋ ଆଣି ପୂଜା କରୁଥିଲେ, ତାଙ୍କ ସହିତ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ଚିତ୍ର ଥିବା ଫଟୋ ଆଣନ୍ତୁ ।
୬. ଯଦି ଆପଣଙ୍କ ପୂଜାଘରେ ପୂର୍ବରୁ ଗଣେଶ ମୂର୍ତ୍ତି କିମ୍ବା ଫଟୋ ରହିଛି, ତେବେ ଗଣେଶଙ୍କର ଅନ୍ୟ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ ନାହିଁ । ପୂଜା ଘରେ ଗୋଟିଏ ଠାକୁରଙ୍କ ଦୁଇଟି ମୂର୍ତ୍ତି ରହିବା ଶୁଭ ନୁହେଁ ।
୭. ଗଣେଶଙ୍କର ମୋଦକ ଭାରି ପ୍ରିୟ। ତେଣୁ ପୂଜା ସରିବା ପରେ ଗଣେଶଙ୍କୁ ୨୧ଟି ମୋଦକ ଭୋଗ ଲଗାନ୍ତୁ । ଲଡ଼ୁ ଭୋଗ କରୁଥିଲେ ମଧ୍ୟ ୨୧ଟି ଲଡ଼ୁ ହିଁ ଭୋଗ ଲଗାନ୍ତୁ । ବିଭିନ୍ନ ପ୍ରକାର ଫଳ ଓ ଅନ୍ୟ ମିଠା ଜିନିଷ ମଧ୍ୟ ଭୋଗ ଲଗାଇପାରିବେ ।
8. ଦୁବ ସହିତ ଫୁଲ, ୫ଟି ଅଳେଇଚ, ପାନପତ୍ର, ଗୁଆ ଓ ନଡ଼ିଆ ଗଣେଶଙ୍କୁ ଅର୍ପଣ କରନ୍ତୁ । ୩, ୫, ୭ ଦିନ ପରେ ମୂର୍ତ୍ତି ବିସର୍ଜନ କରନ୍ତୁ । ଏହାଠାରୁ ଅଧିକ ଦିନ ରଖନ୍ତୁ ନାହିଁ। ପ୍ରତ୍ୟେକ ଦିନ ଗଣେଶଙ୍କୁ ଲାଗି ହୋଇଥିବା ଫୁଲ, ଦୁବ ଓ ଭୋଗ ବାହାର କରନ୍ତୁ । ନୂଆ ଫୁଲ ଓ ଦୁବକୁ ପୂର୍ବଭଳି ବିଧି ସହିତ ଗଣେଶଙ୍କୁ ଚଢ଼ାନ୍ତୁ ।
9. ଗଣେଶ ପୂଜାରେ ଲାଲ୍ ରଙ୍ଗର ମହତ୍ତ୍ବ ଅଧିକ ଥାଏ । ତେଣୁ ଗଣେଶଙ୍କୁ ଲାଲ ରଙ୍ଗ ଥିବା ପୋଷାକ ପିନ୍ଧାନ୍ତୁ। ଏହାସହ ପୂଜାରେ ବ୍ୟବହୃତ ହେଉଥିବା ଅନ୍ୟ ସମସ୍ତ ସାମଗ୍ରୀ ମଧ୍ୟ ଲାଲ ରଙ୍ଗର ହେଲେ, ବହୁତ ଶୁଭ ହୋଇଥାଏ। ତେଣୁ ଏ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।
ମୋଦକ ଓ ଲଡୁ ପ୍ରିୟ ଗଜାନନ:
ଲଡୁ ଓ ମୋଦକ କଥା କହିଲା ମାତ୍ରେ ହିଁ ଗଣେଶଙ୍କ କଥା ମନେପଡେ। କାରଣ ଏହି ଦୁଇଟି ମିଷ୍ଟାନ୍ନ ସାମଗ୍ରୀ ତାଙ୍କର ଖୁବ୍ ପ୍ରିୟ। ଆପଣ ଗଣେଶଙ୍କର ଯେ କୌଣସି ବି ଫଟୋ କିମ୍ବା ମୂର୍ତ୍ତି ଦେଖନ୍ତୁ, ତାଙ୍କ ହାତରେ ମୋଦକ କିମ୍ବା ଲଡୁର ପାତ୍ର ଥିବ। ମୋଦକ ବିନା ଗଣେଶଙ୍କ ଆବାହନ ଅସମ୍ପୂର୍ଣ୍ଣ ବୋଲି ମନେ କରାଯାଏ। ଯେତେ ଯାହା ଭୋଗରାଗ ଲଗାଇଲେ ବି ମୋଦକ ଓ ଲଡୁ ଭୋଗ ହିଁ ଗଣପତିଙ୍କ ମନକୁ ପ୍ରସନ୍ନ କରିପାରେ। ତେଣୁ ତାଙ୍କୁ 'ଲଡୁ ପ୍ରିୟ' ନଚେତ୍ 'ମୋଦକ ପ୍ରିୟ' ବୋଲି ମଧ୍ୟ ସମ୍ବୋଧନ କରାଯାଏ। ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ ଗୋଆରେ ଗଣେଶ ପୂଜା ଖୁବ୍ ଧୁମ୍ଧାମ୍ ରେ ପାଳନ କରାଯାଏ । ବିଭିନ୍ନ ଜାଗାରେ ମୋଦକର ଭିନ୍ନ ଭିନ୍ନ ନାମ ରହିଛି । ଯେପରିକି ତାମିଲ ଭାଷାରେ ‘କୋଜାକାଟାଇ’, କନ୍ନଡରେ ‘ମୋଦକ ବା କଡୁବୁ’ ଏବଂ ତେଲୁଗୁ ଭାଷାରେ ଏହାକୁ ‘କୁଡୁମୁ’ ବୋଲି କୁହାଯାଏ । ଦେଶର ବିଭିନ୍ନ ଅଞ୍ଚଳରେ ଲଡ଼ୁ ନିଲାମ ହେବାର ଖବର ଚର୍ଚ୍ଚା ହୋଇଥାଏ। ଗୋଟିଏ ଗୋଟିଏ ଲଡ଼ୁର ମୂଲ୍ୟ ୧୦ ରୁ ୧୫ଲକ୍ଷ ଟଙ୍କାରେ ନିଲାମ ହେବାର ମଧ୍ୟ ନଜିର ରହିଛି।
ମୋଦକ ପଛର ପୌରାଣିକ କାହାଣୀ:
ଋଷି ଅତ୍ରି ଓ ତାଙ୍କ ସ୍ତ୍ରୀ ଅନୂସୟା ଦିନେ ପ୍ରଭୁ ଗଣେଶଙ୍କୁ ଅତିଥି ଭାବେ ଘରକୁ ଡାକିଥିଲେ। କିଛି ସମୟ ବିଶ୍ରାମ ପରେ ତାଙ୍କୁ ଖାଦ୍ୟ ପରଷିଥିଲେ ଅନୂସୟା। ମାତ୍ର ଦେଖୁ ଦେଖୁ ଗଣେଶଙ୍କ ଥାଳି ସଫା ହୋଇଯାଇଥିଲା। ଏମିତିକି ଘରେ ଯାହା ରନ୍ଧା ଯାଇଥିଲା, ତାହା ମଧ୍ୟ ଶେଷ ହୋଇଯାଇଥିଲା। ଏହା ଦେଖି ଚିନ୍ତାରେ ପଡିଯାଇଥିଲେ ଅତ୍ରି ଓ ଅନୂସୟା। ଏତିକିବେଳେ ଅନୂସୟାଙ୍କ ମନରେ ଏକ ଉପାୟ ଜୁଟିଥିଲା। ଖାଦ୍ୟ ଗ୍ରହଣ ପରେ ଗଣେଶଙ୍କୁ କିଛି ମିଠା ମୋଦକ ପରଷି ଦେଇଥିଲେ। ଏହା ଦେଖି ଖୁସିରେ ନାଚି ଉଠିଥିଲେ ଗଣେଶ। ତାଙ୍କୁ ମୋଦକ ଭାରି ଭଲ ଲାଗିଥିଲା। ସେବେ ଠାରୁ ସେ ମା' ପାର୍ବତୀଙ୍କ ପାଖରେ ମୋଦକ ଖାଇବାକୁ ଅଡି ବସୁଥିଲେ।
କେମିତି ପ୍ରସ୍ତୁତ କରିବେ ମୋଦକ:
ଗଣେଶଙ୍କର ଅତି ପ୍ରିୟ ମୋଦକ। ସେଥିପାଇଁ ଅନ୍ୟାନ୍ୟ ଭୋଗରାଗ ସାମଗ୍ରୀ ସହ ତାଙ୍କୁ ମୋଦକ ଲଗାଯାଏ। ପ୍ରଥା ଅନୁଯାୟୀ ଗଜାନନଙ୍କ ପାଖରେ 21 ପ୍ରକାରର ମୋଦକ ପରସାଯାଏ। ମୋଦକକୁ ଚାଉଳଗୁଣ୍ଡ, ଅଟା କିମ୍ବା ମଇଦାରେ ପ୍ରସ୍ତୁତ କରିପାରିବେ। ଏଥିରେ ନଡିଆ ଓ ଗୁଡ ମିଶ୍ରିତ ପୁର ଦିଆଯାଇ ପ୍ରସ୍ତୁତ କରାଯାଏ। ଏହା ପରେ ମୋଦକଙ୍କୁ ଷ୍ଟିମ କରିପାରିବେ କିମ୍ବା ଛାଣି ପାରିବେ। ଏହା ପ୍ରସ୍ତୁତ ହୋଇଗଲା ପରେ ଶୁଦ୍ଧ ଗୁଆ ଘିଅର ଏକ ମୋଟା ପରତ ଲଗାଇ ଭୋଗ ଆକାରରେ ଲଗାଇ ପାରିବେ ।
କେଉଁଠି କେମିତି ହୁଏ ପୂଜା:
ଭାରତରେ ଗଣେଶଙ୍କୁ ଅଗ୍ର୍ୟ ଦେବତା ରୂପେ ପୂଜା କରାଯାଇଥାଏ। ସେଥିପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପୂଜାବିଧିରେ ଗଣେଶଙ୍କୁ ପୂଜା କରାଯାଇଥାଏ। ବିଶେଷ ଭାବେ ମହାରାଷ୍ଟ୍ରରେ ଗଣେଶ ପୂଜାକୁ ଧୁମଧାମ ଭାବେ ପାଳନ କରାଯାଇଥାଏ। ମହାରାଷ୍ଟ୍ରରେ ଏହି ପୂଜା 10 ଦିନ ପର୍ଯ୍ୟନ୍ତ ହୋଇଥାଏ। ମୁମ୍ବାଇସ୍ଥିତ ସିଦ୍ଧି ବିନାୟକ ମନ୍ଦିର, ମହାରାଷ୍ଟ୍ରସ୍ଥିତ ଲାଲବାଗ ପରି ଅନେକ ସ୍ଥାନରେ ଗଣେଶ ପୂଜା ଖୁବ୍ ନିଷ୍ଠାର ସହ ପାଳନ କରାଯାଇଥାଏ। ଖାଲି ଭାରତରେ ନୁହେଁ, ବିଦେଶରେ ମଧ୍ୟ ଗଣେଶ ପୂଜାକୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ। ଜାପାନ, ଥାଇଲାଣ୍ଡ, କାମ୍ବୋଡିଆ, ଇଣ୍ଡୋନେସିଆ, ଆଫଗାନିସ୍ତାନ, ନେପାଳ ଓ ଚୀନରେ ଭିନ୍ନ ଭିନ୍ନ ନାମରେ ଗଣେଶଙ୍କୁ ପୂଜା କରାଯାଏ।
ଲଡୁ ନିଲାମ ଓ ଭସାଣୀ:
ଯେପରି ଜନ୍ମାଷ୍ଟମୀରେ ଦହିହାଣ୍ଡି ଭଙ୍ଗା ମୁଖ୍ୟ ହୋଇଥାଏ, ଠିକ୍ ସେହିପରି ଗଣେଶ ପୂଜାରେ ଲଡୁ ନିଲାମ ମଧ୍ୟ ଖୁବ୍ ବଡ ଆକାରରେ ହୋଇଥାଏ। ଗଜାନନଙ୍କ ହାତରେ ପୂଜା ପାଉଥିବା ଲଡୁ ବିସର୍ଜନ ସମୟରେ ହିଁ ନିଲାମ ହୋଇଥାଏ। ଏହି ଲଡୁ କିଣିଲେ ଘରକୁ ସୁଖ-ସମୃଦ୍ଧି ଆସିଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଏହି ଲଡୁ ଲକ୍ଷ ଲକ୍ଷ ଟଙ୍କାରେ ନିଲାମ ହୋଇଥାଏ। କେତେବେଳେ 10 ଲକ୍ଷରେ ନିଲାମ ହେଲାଣି ତ ଆଉ କେତେବେଳେ 50 ଲକ୍ଷରେ। କିଛି ଧନୀ ସଂଗଠନ ଗଣେଶଙ୍କ ଲଡୁରେ ସୁନାର ପରସ୍ତ ଲଗାଇଥାଆନ୍ତି । ଫଳରେ ଏହି ଲଡୁ ଏକ ବଡ ରକମରେ ନିଲାମ ହୋଇଥାଏ। ପ୍ରତିବର୍ଷ ହାଇଦ୍ରାବାଦସ୍ଥିତ ବାଲାପୁର ଏବଂ ଖୈରତାବାଦରେ ବିଶାଳ ଗଣେଶ ପ୍ରସାଦ ଲଡୁର ନିଲାମି କରାଯାଏ । ଗତବର୍ଷ ଏହି ଲଡୁଟି ୧୭.୬ଲକ୍ଷ ଟଙ୍କାରେ ବିକ୍ରି ହୋଇ ରେକର୍ଡ ସୃଷ୍ଟି କରିଥିଲା। ସେହିପରି ଗଣେଶ ପୂଜାରେ ଭସାଣୀର ମଧ୍ୟ ବହୁ ପରମ୍ପରା ରହିଆସିଛି । ପୂଜାକୁ ଯେତିକି ଅପେକ୍ଷା ଥାଏ, ତା ଠାରୁ ବେଶୀ ଅପେକ୍ଷା ରହିଥାଏ ଭସାଣୀର। ସବୁ ଭକ୍ତ ବଡ ଉତ୍କଣ୍ଠାର ସହ ବାପ୍ପାଙ୍କ ଭସାଣୀରେ ଯୋଗ ଦେଇଥାନ୍ତି । ଧୂପ-ଦୀପ କର୍ପୁର ସହ ବାବା ଗଣେଶଙ୍କୁ ବିଦାୟ ଦିଆଯାଇଥାଏ। ମୁଖ୍ୟତଃ ଏହି ଭସାଣୀ ମୁମ୍ବାଇର ବଡ ଆକାରରେ ହୋଇଥାଏ। ଗଣପତିଙ୍କୁ ପାଣିରେ ବିସର୍ଜନ କଲାବେଳେ ଭକ୍ତ ଲୋତକଭରା ଆଖିରେ କହିଥାଏ, ଗଣପତି ବାପ୍ପା ଆର ବର୍ଷ ଜଲଦି ଆସିବ...
'ଇଟିଭି ଭାରତ ପରିବାର' ପକ୍ଷରୁ ସମସ୍ତ ଭାଇ-ଭଉଣୀମାନଙ୍କୁ ଗଣେଶ ପୂଜାର ବିପୁଳ ଅଭିନନ୍ଦନ।