କଟକ: କୋରୋନା କଟକଣା ମଧ୍ୟରେ ଚଳିତବର୍ଷ ସରିଛି ପାର୍ବଣ...ଆଉ ମେଲାଣି ନେଇଛନ୍ତି ମା’ । ଭକ୍ତ ଆସିନି ବୋଲି ମା’ଙ୍କ ମୁହଁରେ ଦେଖିବାକୁ ମିଳିନି ଏଥର ସେ ଚମକ । ଏପଟେ ଦୁର୍ଗା ପୂଜା ଆସିଲେ କଟକର ଦେବୀଗଡା ରେ ମୁଣ୍ଡ ଟିକେ ମିନି ବଜାର । ଯେଉଁଠି ମିଳେ କେବଳ ଘର କରଣା । ଦେବୀ ଙ୍କୁ ଶେଷ ଦର୍ଶନ ବେଳେ ଏଠୁ ତମାମ ଘର କରଣା ସାମଗ୍ରୀ କିଣିଥାନ୍ତି ଲୋକେ । ହେଲେ ବିଗତ ଦୁଇ ବର୍ଷ ଧରି ସବୁ କିଛି ଉଜୁଡି ଯାଇଛି । ନା ଅଛନ୍ତି ଲୋକେ ନା ହେଉଛି ବ୍ୟବସାୟ । ଲକ୍ଷ ଲକ୍ଷ ଟଙ୍କାର ସମଗ୍ରୀ ଏବେ ସେମିତି ରାସ୍ତା କଡରେ ପଡି ରହୁଛି । ଯାହାକୁ ନେଇ ଅତିଷ୍ଠ ହୋଇଛନ୍ତି କ୍ଷୁଦ୍ର ବ୍ୟବସାୟୀ।
ଅନ୍ୟପଟେ ଦର୍ଶକ ନଥିବାରୁ ଦେବୀ ଗଡା ବି ଖାଁ ଖାଁ । ପୋଲିସ ବଳୟ ଯୋଗୁ ଦର୍ଶକ ଆସିବା ସାତ ସ୍ୱପ୍ନ ପାଲଟିଛି । ଏହାରି ମଧ୍ୟରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି ଏହି ଦେବୀଗଡା ମାର୍କେଟ । ଏହି ଛୋଟ ବେପାରୀ ମାନେ ଏହି ମେଲାଣି ଦିନକୁ ଚାହିଁ ରହିଥାନ୍ତି । କାରଣ ଏହି ଦିନ ବେପାର ଭଲ ହୋଇଥାଏ । କାରଣ କମ ଦାମ ରେ ଭଲ ଘର କରଣା ସମଗ୍ରୀ ଏଠି ଉପଲବ୍ଧ ରହିଥାଏ । ହେଲେ ଚଳିତବର୍ଷ ମୁଣ୍ଡ ରେ ହାତ ଦେଇଛନ୍ତି ବ୍ୟବସାୟୀ ।
ବିକ୍ରି ପାଇଁ ସାମଗ୍ରୀ ପଡିଛି ହେଲେ ନାହାନ୍ତି ଗ୍ରାହକ । କିପରି ହେବ ବ୍ୟବସାୟ ଓ ପରିବାର କିପରି ଚଳିବ ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ । ଯେତିକି ସମଗ୍ରୀ କିଣା ହେଉଛି ତାହାର ଅଧା ମଧ୍ୟ ବିକ୍ରି ହେଉନି । ତେବେ ଏପରି ସ୍ଥିତି ଯଦି ଲାଗି ରହେ ତେବେ ଆଗମୀ ଦିନରେ ସ୍ଥିତି କଣ ଯେ ହେବ ତାହା ଏବେଠୁ ବାରି ହୋଇପଡୁଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ