ନିଆଳି: ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜୀବନ । ସକାଳ ୮ଟା ହେଲେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ। ଆଉ ଏହି ଗ୍ରୀଷ୍ମ ପ୍ରବାହ ସମୟରେ ଦେଖା ଦେଇଛି ଜଳ ସଙ୍କଟ । ଏଭଳି ଅଭିଯୋଗ ଏବଂ ଦୃଶ୍ୟ ଦେଖିବାକୁ ମିଳିଛି ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷଙ୍କ ପଞ୍ଚାୟତରେ । ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଳକର ଏରଞ୍ଚ ପଞ୍ଚାୟତ ହେଉଛି ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ନିଜସ୍ଵ ଗାଁ । ସେହିପରି ନିଆଳି ବ୍ଳକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରାଙ୍କର ମଧ୍ୟ ନିଜସ୍ଵ ପଞ୍ଚାୟତ । ଏହି ପଞ୍ଚାୟତରେ ଜନସାଧାରଣ ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି ।
ଏରଞ୍ଚ ପଞ୍ଚାୟତ ଖରିବିଲ ୧୩ ନମ୍ବର ୱାର୍ଡ ଅଧିନରେ ରହୁଛନ୍ତି 300ରୁ ଅଧିକ ଲୋକ । କିନ୍ତୁ ଗତ କିଛି ମାସ ହେବ ଏଠାକାର ଲୋକେ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ନଳକୂପ ଅଛି ସେଥିରୁ ଆଇରନ, ଶିଉଳି ଓ ଲୁହାଖଣ୍ତ ଯୁକ୍ତ ପାଣି ବାହାରୁଥିବା କାରଣରୁ ଏହା ପିଇବା ଆଯୋଗ୍ୟ ବୋଲି ଗ୍ରାମବାସୀ କହିଛନ୍ତି । ସେହିପରି ଗତବର୍ଷ ବସୁଧା ଯୋଜନାରେ ନିଆଳ ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଲକ୍ଷଧିକ ଟଙ୍କା ବ୍ୟୟରେ ଓଭର ହେଡ୍ ଟାଙ୍କି ନିର୍ମାଣ ହୋଇଛି । ପାଇପ ଲାଇନ୍ ବିଛାଯାଇଛି। ହେଲେ ନା ପାଇବରେ ଠିକ୍ ସେ ପାଣି ଆସୁଛି। ନା ଆସୁଥିବା ପାଣି ପିଇବା ଯୋଗ୍ୟ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ଖରିବିଲ ଜନସାଧାରଣ ଏରଞ୍ଚ ପଞ୍ଚାୟତ ଲୋକ ପ୍ରତିନିଧିଠାରୁ ଆରମ୍ଭ କରି ବ୍ଲକ ଅଫିସ୍ ପର୍ଯ୍ୟନ୍ତ ଗୁହାରି କରି ଥକି ଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହିଛନ୍ତି । ଲକ୍ଷାଧିକ ଟଙ୍କାରେ ତିଆରି ଓଭର ହେଡ୍ରେ ଦୁର୍ନୀତି ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ନିକଟରେ ଗାଁରେ ନକକୂପ ବସାଇବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ଖବର ପାଇ ଅଭିମନ୍ୟୁ ସଙ୍ଗଠନର ଆବାହକ ଅଭିମନ୍ୟୁ ମଲ୍ଲିକ ଖରିବିଲ ଗାଁରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ଅଧିକାରୀଙ୍କୁ ଫୋନ୍ ମାଧ୍ୟମରେ ଅବଗତ କରାଇଥିଲେ । ଏହାସହ ତୁରନ୍ତ ଏରଞ୍ଚ ପଞ୍ଚାୟତ ଖରିବିଲ ଗାଁକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇବା ସହ ନଳକୂପ ବସାଇବା ପାଇଁ ଅନୁରୋଧ କରିଥିଲେ । ପାଣି ପାଇଁ ଏଠାକାର ଲୋକେ କେବଳ ନୁହଁନ୍ତି ବରଂ ପଶୁପକ୍ଷୀ ମଧ୍ୟ ଜଳ ସଙ୍କଟର ସମ୍ମୁଖ ହେଉଥିବା ଅଭିଯୋଗ ହେଉଛି ।
ଇଟିଭି ଭାରତ, ନିଆଳି