କଟକ: ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର ଛେଲା ସରକାର ଓରଫ ଭରତ ବୋଲି ଜଣାପଡ଼ିଛି । ନିଶାଶକ୍ତ ଅବସ୍ଥାରେ ଥାଇ ସେ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ଗତ ୧୨ ତାରିଖରେ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଏନେଇ ଗତକାଲି ମହିଳା ଥାନାରେ ଅଭିଯୋଗ ହୋଇଥିଲା ।
ଅଭିଯୁକ୍ତକୁ ଗିରଫ ପରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ଅଭିଯୁକ୍ତ ଜଣକ ବୃଦ୍ଧାଙ୍କୁ ପୂର୍ବରୁ ଜାଣିଥିଲା । ଗତ ୧୨ ତାରିଖ ସନ୍ଧ୍ୟାରେ ଘରେ କେହି ନଥିବାର ସୁଯୋଗ ପାଇ ଏପରି କାଣ୍ଡ ଭିଆଇଛି । ଏହି ମାମଲାର ତଦନ୍ତ ପାଇଁ କ୍ୟାଣ୍ଟନମେଣ୍ଟ ଥାନା ଓ ମହିଳା ଥାନା ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଇଥିଲା । ଏହି ତଦନ୍ତକାରୀ ଟିମ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।" ତେବେ ଅଭିଯୁକ୍ତକୁ ଶନିବାର କୋର୍ଟ ଚାଲାଣ କରିଛି ପୋଲିସ । ପୀଡ଼ିତା ବୃଦ୍ଧାଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ପଠାଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପୋଲିସ କହିଛି ।
ଇଟିଭି ଭାରତ, କଟକ