କଟକ: ଶୋଇଛି ବିଦ୍ୟୁତ ବିଭାଗ । ବାତ୍ୟା ‘ଫନି’କୁ ଦୁଇ ମାସ ପୁରିଥିଲେ ମଧ୍ୟ ଏଯାବତ ରାସ୍ତାରେ ଝୁଲିଛି ବିଦ୍ୟୁତ ତାର । ଯାହାଦ୍ବାରା ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି କଟକ ବାସିନ୍ଦା । ଘଟଣାଟି କୌଣସି ନିପଟ ଗାଁର ନୁହେଁ ବରଂ ସିଲଭର ସିଟି ନୂଆବଜାର ସ୍ଥିତ ଚୌଧୁରୀ ଲେନର ।
ଫନି ଯାଇଛି, ହେଲେ ସୁଧୁରିନି ସ୍ଥିତି । ଏବେବି ରାସ୍ତାରେ ଝୁଲିଛି ବିଦ୍ୟୁତ ତାର । ଆଉ ତାର ସଂସ୍ପର୍ଶରେ ଆସି ଅନେକ ଲୋକ ଆହତ ବି ହୋଇସାରିଲେଣି । କିନ୍ତୁ ଏବେବି ବିଦ୍ୟୁତ ବିଭାଗର ନିଦ ଭାଙ୍ଗିନି । ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅନେକ ଥର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ହେବ,କାଲି ହେବ କହି ଠକି ଚାଲିଛି ବିଦ୍ୟୁତ ବିଭାଗ ।
ତେବେ ନିକଟରେ ଯଦି ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ସ୍ଥାନୀୟ ବାସିନ୍ଦା ଆଗାମୀ ଦିନରେ ବିଦ୍ୟୁତ ବିଭାଗ ଅଫିସ ଘେରାଉ କରିବେ ବୋଲି ଦେଇଛନ୍ତି ଚେତାବନୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ