କଟକ: ଦଶଭୁଜାଙ୍କ ଆଗମନରେ ରୂପେଲି ସହର ହୋଇ ଉଠେ ଚଳଚଞ୍ଚଳ । ଚାନ୍ଦି ମେଢ଼ର ଝିଲମିଲ ଆଲୋକରେ ଝଲସି ଉଠେ ସାରା ସହର । ରାତି ପାହିଲେ ମୃଣ୍ମୟୀ ଦେବୀଙ୍କ ଷଷ୍ଠୀ ପୂଜା । ତାରକସି କାରିଗରୀର ସୂକ୍ଷ୍ମ କାରୁକାର୍ଯ୍ୟରେ ଆହୁରୀ ଜୀବନ୍ତ ହୋଇ ଉଠିବ ମା’ଙ୍କ ପ୍ରତିମୂର୍ତ୍ତି । ସହରର ପ୍ରାୟ ସମସ୍ତ ମେଢ଼ରେ ହୁଏ ଚାନ୍ଦି କାମ । ଆଉ ଏହି ଚାନ୍ଦି ମେଢ଼ କାମ ଏବେ କାରିଗରଙ୍କୁ ଦେଇଛି ରୋଜଗାରର ଏକ ଉତ୍ତମ ପନ୍ଥା ।
ଭାଇଚାରାର ସହର କଟକରେ ଚଳିତବର୍ଷ 27ଟି ପୂଜାମଣ୍ଡପରେ ଚାନ୍ଦି ମେଢ଼ କରାଯାଇଛି। ସୂକ୍ଷ୍ମ ତାରକସି କାମରେ ନିର୍ମାଣ କରାଯାଇଥିବା ଏହି ମେଢ଼ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ତେବେ ଶ୍ରଦ୍ଧାଳୁଙ୍କ ଆଗ୍ରହ ଦେଖି, ଚାନ୍ଦି ମେଢ଼କୁ ନେଇ ପୂଜା ମଣ୍ଡପ ମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଲାଣି। ଆଉ ଏହାଦ୍ବାରା ଅଧିକ ଉପକୃତ ହେଉଛନ୍ତି ତାରକସି କାରିଗର। ଏକ କିଲୋ ଚାନ୍ଦି କାମ କଲେ 8 ରୁ 9 ହଜାର ଟଙ୍କା ମଜୁରୀ ପାଉଛନ୍ତି କାରିଗର। ପୂର୍ବଅପେକ୍ଷା ତାରକସି କାରିଗରଙ୍କ ସଂଖ୍ୟା ଯଦିଓ କମିଛି ତଥାପି ଚାନ୍ଦି ମେଢ଼ ନିର୍ମାଣ, ସେମାନଙ୍କ ମନରେ ଏହି କାମ ପ୍ରତି ନୂତନ ଆଗ୍ରହ ଭରି ଦେଇଛି ।
କଟକରେ 1990 ମସିହାରେ ପ୍ରଥମେ ଚୌଧୁରୀ ବଜାର ପୂଜା ମଣ୍ଡପରେ ଚାନ୍ଦିମେଢ଼ କରାଯାଇଥିଲା। ପରେ 1991 ମସିହାରେ ସେଖ ବଜାର ପୂଜାମଣ୍ଡପରେ ହୋଇଥିଲା ଚାନ୍ଦି ମେଢ଼। ତାରକସି କାରିଗରଙ୍କ ସଂଖ୍ୟା କମିଯାଉଥିବାରୁ ଏହି ପଦକ୍ଷେପ ନେଇଥିଲେ ପୂଜା ମଣ୍ଡପ କମିଟି । ବର୍ଷକୁ ବର୍ଷ ବଢ଼ୁଛି ମେଢ଼ ସଂଖ୍ୟା । କେବଳ ଦଶହରାରେ ନୁହେଁ ବରଂ ଗଣେଶ ପୂଜା, ଲକ୍ଷ୍ମୀ ପୂଜା, ଓ କାଳୀ ପୂଜା ସମୟରେ ମଧ୍ୟ ଚାନ୍ଦି ମେଢ଼ କରାଗଲାଣି।
ଯାହା ଦ୍ବାରା ଉପକୃତ ହେଉଛନ୍ତି ତାରକସି କାରିଗର । ଆଗାମୀ ଦିନରେ ଏହା କାରିଗରଙ୍କ ସଂଖ୍ୟା ମଧ୍ୟ ବଢାଇବା ବୋଲି ଆଶା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ