ନିଆଳି: କଟକ ଗୋବିନ୍ଦପୁର ଥାନା ଶଙ୍ଖୁଆ ଗାଁରେ ଅଘଟଣ । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ । ଖବରପାଇ ଗୋବିନ୍ଦପୁର ପୋଲିସ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ତେବେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ଏବଂ ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡିଛି ।
ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ତରଡପଡା ଗ୍ରାମର ବିଶ୍ବନାଥ ବେହେରା ଏବଂ ତାଙ୍କ ସ୍ତ୍ରୀ କଳ୍ପନାଙ୍କ ଘର ନୂଆଗାଁ । ଉଭୟ ଦୁଇ ପୁଅଙ୍କୁ ନେଇ ଶଙ୍ଖୁଆ ଗାଁରେ ଭଡା ଘରେ ରହୁଥିଲେ। ତେବେ କୌଣସି କାରଣରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ସ୍ବାମୀ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସୂଚନାମୁତାବକ, କଳ୍ପନା ୧୦ ବର୍ଷ ତଳୁ ନିଜ ସ୍ବାମୀଙ୍କୁ ଛାଡ଼ି ଦିଅର ବିଶ୍ବନାଥ ବେହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଉଭୟଙ୍କ ପଟରୁ ୯ ଓ ୬ ବର୍ଷର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଅଛି। ତେବେ ସ୍ତ୍ରୀକୁ ମାରିବା ଓ ନିଜେ ଆତ୍ମହତ୍ୟା କରିବା ପଛର କାରଣ ଅସ୍ପଷ୍ଟ ରହିଥିବାବେଳେ ଗୋବିନ୍ଦପୁର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ