କଟକ: ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରରେ ଆଠଗଡ ଡିଏଓଫ । ସାମ୍ବାଦିକଙ୍କୁ ଭିକାରୀ କହିବାକୁ ପଛେଇ ନାହାନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ(ଡିଏଓଫ) ସସ୍ମିତା ଲେଙ୍କା । ଏହାର ପ୍ରତିବାଦରେ ଆଠଗଡ଼ ସମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଥାନାରେ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।


ଗତ ୧୬ ତାରିଖରେ ନିଜ ଫେସବୁକ୍ ଆକାଉଣ୍ଟରେ ଆଠଗଡ଼ର ସମସ୍ତ ସାମ୍ବାଦିକଙ୍କୁ ଭିକାରୀ ବୋଲି ଏକ ପୋଷ୍ଟ କରିଥିଲେ ଆଠଗଡ ଡିଏଫଓ । ଯାହାକୁ ନେଇ ସ୍ଥାନୀୟ ସାମ୍ବାଦିକ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏପରି କାର୍ଯ୍ୟକୁ ବିରୋଧ କରିଥିଲେ । ସେମାନଙ୍କର ବିରୋଧ ପରେ ନିଜେ କରିଥିବା ପୋଷ୍ଟକୁ ଫେସବୁକ ଆକାଉଣ୍ଟରୁ ଡିଲିଟ କରି ଦେଇଥିଲେ ଡିଏଫଓ ।

ଏହାର ପ୍ରତିବାଦରେ ସ୍ଥାନୀୟ ସ୍ବପ୍ନେଶ୍ବର ମନ୍ଦିରରେ ଏକାଠି ହୋଇଥିଲେ ସାମ୍ବାଦିକ । ଡିଏଫଓଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଆସନ୍ତାକାଲି ସଂଘ ପକ୍ଷରୁ ଆଠଗଡ଼ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଏ ସମ୍ପର୍କିତ ଦାବି ପ୍ରଦାନ କରାଯିବାକୁ ଥିବାବେଳେ, କଟକ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଆରସିସିଏଫ, ପିସିସିଏଫ, ଜଙ୍ଗଲମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ବନବିଭାଗର ସମସ୍ତ କାର୍ଯ୍ୟକ୍ରମକୁ ଗଣମାଧ୍ୟମ ପ୍ରତିନିଧି ବାତିଲ କରିବେ ବୋଲି ଜଣାଇ ଦିଆଯାଇଛି । ସୋସିଆଲ ମିଡିଆରେ ଏଭଳି ଦାୟିତ୍ବହୀନ ପୋଷ୍ଟ କରୁଥିବା ଡିଏଫଓଙ୍କୁ ଏଠାରୁ ତୁରନ୍ତ ପ୍ରତ୍ୟାହାର କରିନେବା ସହ ଏପରି ମନ୍ତବ୍ୟ ପାଇଁ ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସାମ୍ବାଦିକ ସଂଘ ଦାବି କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ