କଟକ: ଚୌଦ୍ୱାର ଅବକାରୀ ବିଭାଗର ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ଶରତ ପ୍ରଧାନ ଓ ତାଙ୍କ ଘର ମହିଷାଲଣ୍ଡା ଗ୍ରାମରେ ବୋଲି ଜଣା ପଡ଼ିଛି । ଗତକାଲି(ମଙ୍ଗଳବାର) ଚୋରା ମଦ କାରବାର ଅଭିଯୋଗରେ ଗିରଫ ହୋଇଥିଲେ ଶରତ। ଗତକାଲି ରାତିରେ ଅବକାରୀ ବିଭାଗର ଚୌଦ୍ୱାର ହାଜତରେ(choudwar police custody) ଶରତର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଅବକାରୀ କର୍ମଚାରୀ ତାଙ୍କୁ SCBରେ ଭର୍ତ୍ତି କରାଇଥିଲେ।
ହେଲେ ସେଠାରେ ଡାକ୍ତର ଶରତଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଶରତଙ୍କ ଶରୀରରେ ଏକାଧିକ କ୍ଷତ ଓ ଦାଗ ରହିଥିବାରୁ ତାଙ୍କୁ ଅବକାରୀ ଅଧିକାରୀମାନେ ମାଡ଼ ମାରି ହତ୍ୟା କରିଥିବା ଶରତଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାସହ ଶରତଙ୍କ ପରିବାର ଲୋକ ଚୌଦ୍ୱାର ଥାନାରେ ଏତଲା ମଧ୍ୟ ରୁଜୁ କରିଛନ୍ତି । ଏନେଇ ଅବକାରୀ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ ।
ଏହାମଧ୍ୟ ପଢ଼ନ୍ତୁ. ଜୀବନ ହାରିଲେ ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ
ଏ ସମ୍ପର୍କରେ ମୃତବ୍ୟକ୍ତିଙ୍କ ଭାଇ ଭାରତ ପ୍ରଧାନ କହିଛନ୍ତି "ଶରତ ଆଠଗଡ଼କୁ ନିଜ ଗାଡ଼ି ଟାଟା ମ୍ୟାଜିକ ନେଇ ଏକ ଭଡ଼ାରେ ଯାଉଥିଲା । ଗାଡ଼ି ଭିତରେ ମଦ ବୋତଲ ଥିଲା । ତେବେ ଆଠଗଡ଼ ପାଖରେ ଅବକାରୀ ବିଭାଗ ଗାଡ଼ିକୁ ଅଟକାଇ ତଦନ୍ତ କରିଥିଲେ । ତଦନ୍ତ ସମୟରେ ଗାଡ଼ି ଭିତରୁ ମଦ ବୋତଲ ବାହାରିଥିଲା । ଏହାପରେ ଶରତକୁ କଟକ ଅବକାରୀ ବିଭାଗ ନେଇ ନିଜ ହାଜତରେ ରଖିଥିଲା । ଆଜି ସକାଳୁ ଆମକୁ ଅବକାରୀ ବିଭାଗର କର୍ମଚାରୀ ଫୋନ ଯୋଗେ କହୁଛନ୍ତି ତମ ଭାଇ ଶରତଙ୍କର ମୃତ୍ୟୁ ହୋଇଯାଇଛି । ଗତକାଲି(ମଙ୍ଗଳବାର) ରାତିରେ ଶରତ ଅବକାରୀ ବିଭାଗ ହେପାଜତରେ ଥିବା ବେଳେ ସୁସ୍ଥ ଥିଲେ । ହେଲେ ହଠାତ ସକାଳୁ କିଭଳି ତାଙ୍କର ମୃତ୍ୟୁ ହେଲା। ଖାଲି ସେତିକି ନୁହେଁ ଶରତଙ୍କ ଗୋଡ଼ର ଆଙ୍ଗୁଠି ୨ଟି ନାହିଁ । ବୁଢ଼ା ଆଙ୍ଗୁଠିରୁ ନଖ ବି ଉଡ଼ିଯାଇଛି । ମୋ ଭାଇ ଆଦୌ ଅସୁସ୍ଥ ହୋଇନି । ତାକୁ ମାରି ଦିଆଯାଇଛି ।"
ଏହାମଧ୍ୟ ପଢ଼ନ୍ତୁ. ରାଜ୍ୟରେ 8 ବର୍ଷରେ 41ଟି ଥାନାରେ ହାଜତ ମୃତ୍ୟୁ
ତେବେ ଭାଇର ମୃତ୍ୟୁକୁ ନେଇ ନିଜକୁ ସମ୍ଭାଳି ପାରୁନି ଭାଇ । ଅନେକ ସମୟରେ ଦୁଇଭାଇ ଏକାଠି ରୁହନ୍ତି । ଭାବିଥିଲେ ଭାଇକୁ ସକାଳେ ଯାଇ ଭେଟିବେ । ହେଲେ ଆଜି ଭାଇ ଏ ଦୁନିଆରେ ନାହିଁ ଶୁଣିବା ପରେ ଭାରତଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।
ରାତିରେ ଅବକାରୀ ହେପାଜତରେ ଥିବା ବେଳେ ଆଜି କେମିତି ହଠାତ ଶରତଙ୍କ ମୃତ୍ୟୁ ହେଲା । ତାହାକୁ ଗ୍ରହଣ କରିପାରୁନାହାଁନ୍ତି ଭାରତ । ରାତିକ ଭିତରେ ଏତେ ନିର୍ଯାତନା ଦେଲେ ଯେ ତାର ମୃତ୍ୟୁ ହୋଇଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, କଟକ