କଟକ: ଏକ ଘରୋଇ କଲେଜରେ ୧୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ପରେ ସଂପୃକ୍ତ କଲେଜକୁ ୧୦ ଦିନ ପାଇଁ ବନ୍ଦ କରିଛନ୍ତି କଲେଜ କର୍ତ୍ତୃପକ୍ଷ। ଏଥିସହ କଲେଜର ସମସ୍ତ ଛାତ୍ରଙ୍କର କରୋନା ପରୀକ୍ଷା କରାଯାଇଛି ।
ଯଦି ରିପୋର୍ଟ ପଜିଟିଭ ଆସେ ତେବେ ସେମାନଙ୍କର ଚିକିତ୍ସା କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିପରି ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ୧୦ ଦିନ ପାଇଁ ଘରକୁ ପଠାଇ ଦିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଏହି ସମୟ ମଧ୍ୟରେ ଅନଲାଇନ କ୍ଳାସ ମାଧ୍ୟମରେ ପାଠପଢା ଯିବ।
ସୂଚନା ଯୋଗ୍ୟ, କଟକର ଏକ ଘରୋଇ କଲେଜରେ ୧୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢିଯାଇଛି। କିଛିଦିନ ପୂର୍ବରୁ ଜଗତସିଂହପୁର ଜିଲ୍ଲାର ଜଣେ ଛାତ୍ର ଅସୁସ୍ଥତା ହେବାରୁ ତାଙ୍କର କରୋନା ପରୀକ୍ଷା ପରେ କରୋନା ପଜେଟିଭ ଥିବା ଜଣାପଡିଥିଲା। ପରେ କଣ୍ଟାକ୍ଟ ଟ୍ରେସିଂରୁ ଅନ୍ୟ ଛାତ୍ରଛାତ୍ରୀ ଉକ୍ତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଥିଲା।
ଏନେଇ ଉକ୍ତ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଇଥିଲା। ତେବେ ସେମାନଙ୍କର କରୋନା ପଜିଟିଭ ବାହାରିଥିଲା। ଉକ୍ତ କଲେଜର ଏକ ହଷ୍ଟେଲରେ ପ୍ରାୟ ୭୦ ଜଣ ଛାତ୍ର ରହୁଥିଲେ। କରୋନା ଚିହ୍ନଟ ହେବାପରେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି।
ସେମାନଙ୍କର କୌଣସି କରୋନା ଲକ୍ଷଣ ନଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଏହି ଖବର ମିଳିବା ପରେ ସିଏମସି ପକ୍ଷରୁ ଉକ୍ତ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଅନ୍ୟପଟେ ଏନେଇ କେହି ଭୟଭୀତ ନହେବାକୁ କିଛି ଅବିଭାବକ ଅନୁରୋଧ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ