ଭୁବନେଶ୍ବର: ରାତି ପାହିଲେ ଖୋଲିବ ବଜେଟ ପେଡି । ନବୀନ ସରକାରଙ୍କ ଅଧୀନରେ ନୂଆ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିବେ 2019-20 ଆର୍ଥିକ ବର୍ଷର ମୋଟ ଆୟବ୍ୟୟ ଅଟକଳର ହିସାବ । ତେବେ ଚଳିତଥର ବଜେଟ ପରିମାଣ 1 ଲକ୍ଷ 38 ହଜାର କୋଟି ଟଙ୍କା ରହିବ । ଏ ନେଇ ମନ୍ତ୍ରୀ ପରିଷଦ ପକ୍ଷରୁ ମଞ୍ଜୁରୀ ମିଳିସାରିଛି ।
ବଜେଟ ପ୍ରସ୍ତୁତ ପୂର୍ବରୁ ସାଧାରଣ ଜନତାଙ୍କ ଠାରୁ ୩ହଜାର ମତାମତ ଆସିଥିଲା । ଏସବୁ ନଜରକୁ ନେଇ ବଜେଟ୍ ପ୍ରସ୍ତୁତ ହୋଇଛି । ସବୁବର୍ଷ ପରି ଚଳିତ ଥର ମଧ୍ୟ ସାଧାରଣ ଓ କୃଷି ବଜେଟ୍ ଅଲଗା ଅଲଗା ଉପସ୍ଥାପିତ ହେବ । ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।
ତେବେ ଏହି ଆର୍ଥିକ ବର୍ଷ ପ୍ରଥମ 4 ମାସ ପାଇଁ ଖର୍ଚ୍ଚ ଦାବି ଗୃହୀତ ହୋଇ ସାରିଛି । ଫେବୃଆରୀ 8ରେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଜୁଲାଇ ପର୍ଯ୍ୟନ୍ତ କାମଚଳା ବଜେଟ ଆଗତ କରିଥିଲେ । ବାକି 8 ମାସ ପାଇଁ ଆସନ୍ତାକାଲି(ଶୁକ୍ରବାର) ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ । ଏଥର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ମିଶନ ଶକ୍ତି ପାଇଁ ଅଧିକ ବ୍ୟୟ ବରାଦ ରହିବ । ବିଶେଷ କରି କାଳିଆ ଯୋଜନା, ଚାଷୀଙ୍କୁ ଋଣ, ସ୍ବଂୟ ସହାୟକ ଗୋଷ୍ଠୀ ପାଇଁ 5 ଲକ୍ଷ ଟଙ୍କା ଋଣ ଭଳି ବହୁ ଲୋକାଭିମୁଖୀ ଯୋଜନା ଘୋଷଣା କରାଯାଇଛି ।
ଏହି ବଜେଟ କେବଳ ଆୟବ୍ୟୟ ହିସାବ ନୁହେଁ । ଏଥିରେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣର ମଧ୍ୟ ମୁଳଦୁଆ ପଡିବ । ଏଥିଲାଗି ରାଜ୍ୟ ସରକାର ଏକ ଆର୍ଥିକ ଖସଡା(ରୋଡମ୍ୟାପ) ତିଆରି କରିଛନ୍ତି । ଏଣୁ ଏହା ଅନୁଯାୟୀ ବଜେଟ ଦସ୍ତାବିଜ ତିଆରି ନେଇ ଆଶା ରହିଛି ।
ତେବେ କେଉଁ କ୍ଷେତ୍ରକୁ ଦିଆଯିବ ଅଧିକ ଗୁରୁତ୍ବ ? କାହା ଭାଗରେ ରହିବ ସିଂହଭାଗ ? କଣ ରହିବ ନୂଆ ଯୋଜନା ? ଏଭଳି ବିଭିନ୍ନ ପ୍ରଶ୍ନ ନେଇ ବଜେଟ ଆଗତକୁକୁ ଅନାଇ ବସିଛନ୍ତି ରାଜ୍ୟବାସୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ଅଜିତ ଦାସ, ଇଟିଭି ଭାରତ