ଭୁବନେଶ୍ବର: ଜନ୍ମରୁ ବା କୌଣସି ଦୁର୍ଘଟଣା ଯୋଗୁଁ ନିଜର ଅଙ୍ଗ ହରାଇ ଦିବ୍ୟାଙ୍ଗ ହୋଇଥିବା 153 ଜଣ ଲୋକଙ୍କ ମୁହଁରେ ଆଜି ହସ ଫୁଟିଥିବା ଦେଖିବାକୁ ମିଳିଥିଲା । ଯେଉଁମାନେ ଅନେକ ଦିନରୁ ଚାଲିବା ଓ ଖେଳିବାକୁ ଏକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ ସେମାନେ ଆଜି କୃତ୍ରିମ ଗୋଡ଼ ଓ ହାତ ଆଦି ଅଙ୍ଗ ଲଗାଇବା ପରେ ବେଶ ଆନନ୍ଦ ଲାଭ କରୁଥିବା ଦେଖିବାକୁ ମିଳିଛି ।
ତେବେ ସ୍ଥାନୀୟ ଉତ୍କଳ ମଣ୍ଡପ ଠାରେ ଦୀର୍ଘ ୧୮ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରିଆସୁଥିବା ରେଡ଼ ସ୍ବସ୍ତିକ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା 153 ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରିଥିଲେ । ଏହା ସହିତ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଅନୁଷ୍ଠାନର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ନିଜ ପକ୍ଷରୁ ଏକ ଲକ୍ଷ ଟଙ୍କାର ଅନୁଦାନ ଅନୁଷ୍ଠାନକୁ ପ୍ରଦାନ କରିଥିଲେ ।
ବିଶେଷ ଅତିଥି ଭାବେ ରେଡ ସ୍ବସ୍ତିକ ସୋସାଇଟି ମୁମ୍ବାଇ ମୁଖ୍ୟ କାର୍ଯ୍ୟାଳୟର ଉପସଭାପତି ଶ୍ରୀ ପ୍ରମୋଦ ଚୋଗ୍ଲେ, ସିମ୍ପଲି କେୟାର କ୍ଲିନିକର ନିର୍ଦ୍ଦେଶକ ଡ. ନିମାଇଁ ଚରଣ ପରିଜା ଓ ସିମ୍ପଲି କେୟାର କ୍ଲିନିକ୍ର ଉପଦେଷ୍ଟା ଡ. ସ୍ମରଜିତ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନର ଉତ୍ତରୋତ୍ତର କାମାନା କରିଥିଲେ ।
ଅନୁଷ୍ଠାନର ସଭାପତି ଶ୍ରୀ ବିଜୟ ଆଚାର୍ଯ୍ୟ ସଭାପତିତ୍ବ କରିଥିବା ବେଳେ ସଂପାଦକ ଶ୍ରୀ ଦେବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ