ବୌଦ୍ଧ: ଜିଲ୍ଲା ସଦରମହକୁମା ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ। ତିନି ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ୍ରେ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ଭଲିବଲ ଖେଳାଳୀ ଅଂଶ ଗ୍ରହଣ କରିଥିଲେ ।
ତେବେ ଗତ ଶୁକ୍ରବାରଠାରୁ ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଶନିବାର ଉଦଯାପିତ ହୋଇଯାଇଛି । ୭୦ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ସାରା ଦେଶରେ ପାଳନ ହେଉଥିବା ବେଳେ ଅବିଭକ୍ତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । କନ୍ଧମାଳ ଜିଲ୍ଲାରେ ପୁରୁଷ ବର୍ଗର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ବୌଦ୍ଧ ଷ୍ଟାଡିୟମଠାରେ ଦ୍ବିତୀୟ ଥର ପାଇଁ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।
ଏହି ଅନୁଷ୍ଠିତ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୧୦ ଗୋଟି ମହିଳା ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ମହିଳା ଭଲିବଲ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ରବିବାର ଅନୁଷ୍ଠିତ ଭଲିବଲ ଫାଇନାଲରେ ରେଲୱେ ମହିଳା ଦଳ ଚମ୍ପିଆନ୍ ହୋଇଥିବା ବେଳେ କିଟ୍ ମହିଳା ଦଳ ରନର୍ସ ଅପ୍ ହୋଇଥିଲେ । ତେବେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା, ନଗରପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୂର୍ବତନ ଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡ଼ା ସଂଘର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ରାଜ୍ୟସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, 10ଟି ଟିମ କରିଛନ୍ତି ଅଂଶଗ୍ରହଣ
ପ୍ରକାଶ ଥାଉକି, ଭଲିବଲ ଖେଳକୁ ଅଧିକ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଗତ ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଏଭଳି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲେ । ଗତବର୍ଷ ରାଜ୍ୟସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ତେବେ ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ମହିଳା ଟୁର୍ଣ୍ଣାମେଣ୍ଟ ବୌଦ୍ଧ ଜିଲ୍ଲାରେ ଆୟୋଜନ କରାଯାଇଥିଲା । ବୌଦ୍ଧ ଭଳି ଜିଲ୍ଲାରେ ଏଭଳି ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ଉଭୟ ଖେଳ ଓ ଖେଳାଳିଙ୍କ ପାଇଁ ବେଶ ଉତ୍ସାହ ଯୋଗାଇବ ବୋଲି ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, ବୌଦ୍ଧ