ବୌଦ୍ଧ: ନାବାଳକ ପୁଅକୁ ନେଇ ମଙ୍ଗଳା କୋଠୀଘରକୁ ଆସିଥିଲେ ମାଆ । ରାତିରେ ଶୋଇଥିଲେ ହଠାତ୍ ପୁଅ ନିଖୋଜ ହୋଇଯାଇଛି । ଏହି ଘଟଣାକୁ 6 ଦିନ ବିତିଲାଣି । ଏ ଯାଏଁ ପୁଅର କୌଣସି ଖୋଜଖବର ନପାଇବା ପରେ ରାଜପଥ ଘେରାଉ କଲେ ସ୍ଥାନୀୟ ବାସିନ୍ଦା । ଏପରି ଘଟଣା ଦେଖିବାକୁ ମିଳିଛି ଓ ଅନୁଗୋଳ ସୀମାନ୍ତରେ ଅବସ୍ଥିତ କିଆକଟା ଥାନା ଅନ୍ତର୍ଗତ ଟୁସର ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମରେ । କିଭଳି ଓ କେଉଁ ପରିସ୍ଥିତିରେ ନାବାଳକ ଜଣକ ହଠାତ୍ ନିଖୋଜ ହେଲେ ସେନେଇ ଉଠିଛି ପ୍ରଶ୍ନବାଚୀ । ଏନେଇ ଅଞ୍ଚଳର ଶତାଧିକ ଗ୍ରାମବାସୀ ଥାନା ଘେରାଉ ସହିତ ରାଜପଥ ଅବରୋଧ କରିଥିଲେ ।
ସୂଚନା ଅନୁଯାୟୀ, ଏହି ଠାକୁରାଣୀଙ୍କ ପୀଠ ଉପରେ ଅଞ୍ଚଳର ଭକ୍ତ ଶ୍ରଦ୍ଧାଳୁଙ୍କ ବେଶ ଆସ୍ଥା ରହିଆସିଛି । ତେଣୁ ପ୍ରତ୍ୟେକ ଦିନ ଏହି ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ଗତ 6 ଦିନ ପୂର୍ବରୁ ଏଠାକୁ ଜଣେ ବିଧବା ମହିଳା ନିଜ ପୁଅର ମଙ୍ଗଳ କାମନା ପାଇଁ ଆସିଥିଲେ । ଏଠାରେ ପୂଜା ଦାୟିତ୍ଵରେ ଥିବା ସେବାୟତଙ୍କ ନିର୍ଦ୍ଦେଶକ୍ରମେ ବିଧବା ମହିଳା ଜଣକ ପୀଠ ବାହାରେ ରାତି ଯାପନ କରିଥିଲେ । ଏହାସହ ତାଙ୍କ ତେର ବର୍ଷ ବୟସର ନାବାଳକ ପୁଅକୁ ଠାକୁରାଣୀଙ୍କ କୋଠୀଘର ମଧ୍ୟରେ ରାତି ଯାପନ ପାଇଁ କୁହାଯାଇଥିଲା । ତେବେ ମହିଳା ଜଣକ ହଠାତ୍ ବଡ଼ି ଭୋରରୁ ଉଠି ନିଜ ପୁଅକୁ ସେଠାରେ ନପାଇ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଲୋଡିଥିଲେ ।
ଅଧିକ ପଢ଼ନ୍ତୁ; ଜମିଜମା ବିବାଦରୁ ଗଡ଼ିଲା ମୁଣ୍ଡ ! ଠେଙ୍ଗା ମାଡ଼ରେ ପଡ଼ୋଶୀ ମୃତ
ନିଜ ପୁଅର କୌଣସି ଅଘଟଣ କିମ୍ବା ଅନ୍ୟ କିଛି କୁସଂସ୍କାର କାର୍ଯ୍ୟର ଆଶଙ୍କା କରି ବିଧବା ମହିଳା ଜଣକ କିଆକଟା ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ତେବେ ଗତ 6ଦିନ ହେଲା ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଶେଷରେ ଏନେଇ କୌଣସି ସୁଫଳ ନପାଇ ଅଞ୍ଚଳର ଶତାଧିକ ଗ୍ରାମବାସୀ କିଆକଟା ଥାନା ଘେରାଉ କରିବା ସହିତ କିଆକଟା ରାଜରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରିଥିଲେ । ପୋଲିସର ନିଖୋଜ ବାଳକକୁ ଖୋଜାଖୋଜି କରୁନଥିବା ଅଭିଯୋଗ କରି ଆନ୍ଦୋଳନକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏନେଇ ଅନୁଗୋଳ ପୋଲିସ ଏସପି ହସ୍ତକ୍ଷେପ କରି ଏହାର ତଦନ୍ତ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ତଦନ୍ତ ଜାରି ରହିଛି ଓ ନିଖୋଜ ନାବାଳକର ସନ୍ଧାନ ଜାରି ରହିଛି ବୋଲି କିଆକଟା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ