ବୌଦ୍ଧ: ନିମ୍ନମାନର କାମ ଯୋଗୁଁ ନିର୍ମାଣାଧୀନ ସେତୁର କିଛି ଅଂଶ ଦବିଯିବା ସହ ଏକ ନିର୍ଦ୍ଦିଷ୍ଟ ଛାତ ଭୁଷୁଡି ପଡିଥିବା ଅଭିଯୋଗ ହୋଇଛି । ପ୍ରାକୃତିକ ଜଳସ୍ରୋତରେ ସେତୁ ନିର୍ମାଣ ଯୋଗୁଁ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି ।


ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରୁ ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପକୁ ଦୀର୍ଘ ଦିନର ଦାବି ପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଠାରେ ନିର୍ମାଣାଧୀନ ସେତୁ ମଙ୍ଗଳବାର ହଠାତ ଏକ ଛାତ ଦବିଯାଇ ଭୁଷୁଡି ପଡିଥିବା ବେଳେ ଅନ୍ୟ ଗୋଟିଏ ଛାତ ଦବି ଯାଇଥିବା ଅଭିଯୋଗ ହୋଇଛି ।

ସେତୁର ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ବେଳେ ବୌଦ୍ଧ ସହରର ଏକ ମୁଖ୍ୟ ତଥା ପ୍ରାକୃତିକ ଜଳସ୍ରୋତକୁ ଅବରୋଧ କରି ସେତୁ ନିର୍ମାଣକୁ ଏଥିପାଇଁ ଦାୟୀ କରାଯାଇଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତଥା ଏହାର ବୈଷୟିକ ଭୁଲ ଠିକ ସମ୍ପର୍କରେ ବିଭାଗ କିମ୍ବା ଠିକାସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ