ବୌଦ୍ଧ: ଅସହାୟ ହୋଇ କାମ ଧନ୍ଦା ଅଭାବରୁ ହାତ ବାନ୍ଧି ବସିଛନ୍ତି ଶ୍ରମିକ । ଆଉ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ କାମ କରୁଛି ମେସିନ । ଫଳରେ ଶ୍ରମଜୀବୀମାନେ ଗଭୀର ପ୍ରଭାବିତ ହେବା ସହିତ କାମ ଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ଏନେଇ ଜିଲ୍ଲା ଶ୍ରମ ବିଭାଗ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁ ନଥିବା ବେଳେ ବିଭାଗୀୟ ଅପାରଗତାକୁ ଦାୟୀ କରାଯାଇଛି । ତେବେ ଜିଲ୍ଲାରେ ବିଭିନ୍ନ ବର୍ଗର ଶ୍ରମଜୀବୀମାନେ ଉପଯୁକ୍ତ କାମ ପାଉ ନଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ପଞ୍ଜିକୃତ ଶ୍ରମିକ ରହିଛନ୍ତି । କିନ୍ତୁ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ଏହି ଶ୍ରମିକ ମାନଙ୍କୁ ସରକାରୀ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ବେଳେ ଅଧିକାଂଶ ସ୍ଥାନରେ ରାଜ୍ୟ ବାହାରର ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଶ୍ରମଜୀବୀମାନଙ୍କ ନିମନ୍ତେ ଅନେକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ଜିଲ୍ଲା ଶ୍ରମ ବିଭାଗର ଅପାରଗତା ଯୋଗୁଁ ଏହାର ସୁଫଳ ଶ୍ରମିକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଶ୍ରମିକଙ୍କ ନିମନ୍ତେ ସରକାରଙ୍କ ସବୁଠାରୁ ବୃହତ ଯୋଜନା ହେଲା ମନରେଗା ଯୋଜନା । କିନ୍ତୁ ପଞ୍ଚାୟତ ଅଧିକାରୀଙ୍କ ପାଇଁ ଏସବୁ କାର୍ଯ୍ୟ ଶ୍ରମିକ ବଦଳରେ ଜେସିବି ମେସିନ ଓ ଟ୍ରାକ୍ଟର ମାଧ୍ୟମରେ ସମ୍ପାଦନ ହେଉଛି । ଆଉ ଗରିବ ଶ୍ରମିକ କେବଳ ଚାତକ ପରି ଚାହିଁ ବସିଛି । ବିଭିନ୍ନ ପଞ୍ଚାୟତରେ ରାସ୍ତା ନିର୍ମାଣ, ପୋଖରୀଖନନ ଭଳି କାର୍ଯ୍ୟ ବର୍ଷର ଶହେ ଦିନ ସ୍ଥାନୀୟ ଶ୍ରମିକଙ୍କ ଦ୍ବାରା କରାଯିଵା ନିମନ୍ତେ ମନରେଗାରେ କଡା ନିର୍ଦ୍ଦେଶ ରହିଥିଲେ ମଧ୍ୟ ସେସବୁର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ନେଇ ଶ୍ରମଜୀବୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି ।
ସେପଟେ ବୌଦ୍ଧ ଜିଲ୍ଲାର ଶ୍ରମ ବିଭାଗ ସବୁକିଛି ଜାଣି ମଧ୍ୟ ଅଜଣା ପାଲଟି ବସି ରହିଛି । ଜିଲ୍ଲାର ଅନେକ ସ୍ଥାନରେ ଶ୍ରମିକଙ୍କୁ ଶୋଷଣ କରାଯିବା ସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ମଧ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଛି । ହେଲେ ଶ୍ରମ ବିଭାଗ କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । କେବଳ ଲେବର କାର୍ଡ ଓ ରିନ୍ୟୁଆଲ ଭିତରେ ସିମୀତ ରହିଛି ଜିଲ୍ଲା ଶ୍ରମ ବିଭାଗ । ଏପରିକି ବୌଦ୍ଧ ଜିଲ୍ଲା ଶ୍ରମ ବିଭାଗ ଏକ ପ୍ରକାର ଦଲାଲଙ୍କ ଅକ୍ତିଆରରେ ରହିଛି । କେବଳ କିଛି ଦଲାଲଙ୍କ ଇସାରାରେ ଶ୍ରମ ଅଧିକାରୀ କାର୍ଯ୍ୟ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ସରକାର ଶ୍ରମିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ଶ୍ରମିକଙ୍କ ସହାୟତା ନିମନ୍ତେ କୌଣସି ପ୍ରକାରର ଆଗ୍ରହ ପ୍ରକାଶ କରୁନଥିବା ସୂଚନା ମିଳିଛି ।
ସେହିପରି ଶ୍ରମିକଙ୍କ ପରିବାରକୁ ମୃତ୍ୟୁ କାଳୀନ ସହାୟତା ଠାରୁ ନେଇ, ଶିକ୍ଷା, ବିବାହ, ପରିବାର କଲ୍ୟାଣ ମାଧ୍ୟମରେ ଆର୍ଥିକ ସହାୟତା ସହିତ ଶ୍ରମିକଙ୍କ ନିମନ୍ତେ ବିଭିନ୍ନ ସାମଗ୍ରୀର ସହାୟତା ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବରୁ ସେସବୁ ଯୋଜନା କେବଳ କେତେକ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସୀମିତ ରହୁଛି । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନର ବାରମ୍ବାର ହସ୍ତକ୍ଷେପ ପରେ ଜିଲ୍ଲାର କେତେକ ଅସହାୟ ଶ୍ରମିକଙ୍କୁ ଏଭଳି କଲ୍ୟାଣକାରୀ ଯୋଜନାରେ ସାମିଲ କରାଯାଇପାରିଛି ।
ମଙ୍ଗଳବାର ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ହରଭଙ୍ଗା ଠାରେ ଜିଲ୍ଲାର 617 ଜଣ ଶ୍ରମିକଙ୍କୁ ବିଭିନ୍ନ ଯୋଜନା ଅନ୍ତର୍ଗତ ସହାୟତା ଯୋଗାଇ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଜିଲ୍ଲାର 617 ଜଣ ଶ୍ରମିକଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ତିନି କୋଟି ଚାରି ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ । ତେବେ ସେଠାରେ ମଧ୍ୟ ଜିଲ୍ଲା ଶ୍ରମ ବିଭାଗର ଅପାରଗତା ଯୋଗୁଁ ବ୍ୟାପକ ଅବ୍ୟବସ୍ଥା କାରଣରୁ ଅତିଥିଙ୍କୁ ନେଇ ତଥା ଶ୍ରମିକ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା ।
ଇଟିଭି ଭାରତ, ବୌଦ୍ଧ