ବୌଦ୍ଧ: ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ସରକାରଙ୍କ ସମସ୍ତ ଯୋଜନା ସବୁ ସ୍ଥାନରେ ସଠିକ ଭାବେ ପହଞ୍ଚି ପାରୁନି । ଯାହାର ଜ୍ଜ୍ବଳନ୍ତ ଉଦାହରଣ ପାଲଟିଛି ବୈଦ୍ଧର କଣ୍ଟାମାଳ ବ୍ଲକ । ପ୍ରତ୍ୟେକ ପଞ୍ଚାୟତରେ ସ୍କୁଲ ବାଧ୍ୟତାମୂଳକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । କିନ୍ତୁ ବୈଦ୍ଧର କଣ୍ଟାମାଳ ବ୍ଲକ ସଦର ମହକୁମା ନିକଟରେ ତଥା ପଞ୍ଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟର ଅବସ୍ଥା ବର୍ତ୍ତମାନ ସମସ୍ତଙ୍କୁ ଦୁଃଖିତ କରିଛି । 5t ମାଧ୍ୟମରେ ବିଦ୍ୟାଳୟର ଉନ୍ନତି କରାଯାଉଥିବା ବେଳେ ଉକ୍ତ ବିଦ୍ୟାଳୟଟି ସବୁକିଛି ନାହିଁ ନାହିଁରେ ଚାଲିଛି ।
ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳର ଅଧିବାସୀ ଅନୁରୋଧ କରିଛନ୍ତି । ବିଦ୍ୟାଳୟ ଅଛି ଓ ଶିକ୍ଷକ ତଥା ଛାତ୍ରଛାତ୍ରୀ ଅଛନ୍ତି । କିନ୍ତୁ ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଛି ବିଦ୍ୟାଳୟ । ବିଦ୍ୟାଳୟର ମୂଳ ଗୃହ ନଥିବା ବେଳେ ବିଦ୍ୟାଳୟଟି ଅତିରିକ୍ତ ଶ୍ରେଣୀ କୋଠାରେ ଚାଲିଛି । ଦୃଶ୍ୟ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅନତି ଦୂରରେ ଥିବା ଖଲିଆପାଲି ପଞ୍ଚାୟତର ଏକମାତ୍ର ଉନ୍ନିତ ଉଚ୍ଚ ବିଦ୍ୟାଳୟର । ବିଦ୍ୟାଳୟର ପାଚେରୀ କିମ୍ବା ସୁରକ୍ଷା ବାଡ ନଥିବାରୁ ସଂଧ୍ୟା ହେଲେ ଏଠାରେ ମଦ୍ୟପ ଓ ଅନ୍ୟ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବା ଶିରକ୍ଷକମାନେ ଅଭିଯୋଗ କରିଛନ୍ତି ।
ତେବେ ବିଦ୍ୟାଳୟର ଶିକ୍ଷକ କହିଛନ୍ତି, ‘‘ବିଦ୍ୟାଳୟର ଶୌଚାଳୟ ନଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଖୋଲା ସ୍ଥାନକୁ ଶୌଚ ପାଇଁ ଯାଉଥିଛନ୍ତି । ଏହାଛଡା ବିଦ୍ୟାଳୟରେ ପିଅନ କିମ୍ବା ନନ୍ ଟିଚିଙ୍ଗ୍ ଷ୍ଟାଫ ନଥିବାରୁ ବିଦ୍ୟାଳୟର ବେଲ ବଜାଇବାଠାରୁ ନେଇ ଝାଡୁ କରିବା ପର୍ଯ୍ୟନ୍ତ ସବୁକିଛି ଶିକ୍ଷକ ନଚେତ ବିଦ୍ୟାର୍ଥୀଙ୍କୁ କରିବାକୁ ପଡିଥାଏ । ସର୍ବୋପରି ପାନୀୟଜଳର ଅଭାବରୁ ଅନେକ ସମୟରେ ବିଦ୍ୟାଳୟରେ ସମସ୍ତଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।’’
ତେବେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାପାଳ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଜି ଖଲିଆପାଲି ପଞ୍ଚାୟତରେ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବାକୁ ପହଞ୍ଚି ଥିଲେ । ଅନେକ ଗରିବ ଅସହାୟଙ୍କୁ ସେଠାରେ ଜିଲ୍ଲାପାଳ ସହାୟତା ଯୋଗାଇ ଦେଇଥିବା ବେଳେ ଉକ୍ତ ଖଲିଆପାଲି ଉଚ୍ଚ ବିଦ୍ୟାଳୟର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଥିଲେ । କଣ୍ଟାମାଳ ବିଡିଓ ଏହି ବିଦ୍ୟାଳୟକୁ ଚତୁର୍ଥ ପର୍ଯ୍ୟାୟରେ 5t ଅନ୍ତର୍ଗତ କରାଯାଇ ବିଦ୍ୟାଳୟର ବିକାଶ ହୋଇ ପାରିବ ବୋଲି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ