ବୌଦ୍ଧ: ବେଆଇନ ବ୍ଲାଷ୍ଟିଂ ବିରୋଧରେ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ଏହା ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ । ବୌଦ୍ଧର ଗୋଛାପଡା ଓ ବାଇଶପଡା ଅଞ୍ଚଳରେ ଥିବା କ୍ରସର ୟୁନିଟ ଯୋଗୁଁ ଏବେ ଧୀରେ ଧୀରେ ପରିବେଶ ଓ ମଣିଷ ସମାଜ ଉପରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଗଲାଣି।
ବିଶେଷ ଭାବେ ଗୋଛାପଡା ଅଞ୍ଚଳରେ ଥିବା ବେଆଇନ ପାଞ୍ଚଟି କ୍ରସର ଓ ଖରଭୂଇଁ ଅଞ୍ଚଳର ତିନୋଟି କ୍ରସରର ବେଆଇନ ବ୍ଲାଷ୍ଟିଂ ଯୋଗୁଁ ଏବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବନ୍ୟପ୍ରାଣୀ, ଗୃହପାଳିତ ପଶୁ ,ପରିବେଶ, ଜଙ୍ଗଲ ସହିତ ମଣିଷ ଉପରେ ମଧ୍ୟ ଏହାର କୁପ୍ରଭାବ ପଡୁଛି।
ଏହି କାରଣରୁ ଜିଲ୍ଲାରେ ଚର୍ମରୋଗ ଓ କିଡନୀ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହାରି ପ୍ରତିବାଦରେ ଶନିବାର 9 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଓ ଛତ୍ରଙ୍ଗ ସରପଞ୍ଚ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ