ବୌଦ୍ଧ: ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ଗୋଷ୍ଠୀର ଶିକ୍ଷକ ସଂଘ ପକ୍ଷରୁ ଗତ 4 ଦିନ ଧରି ଜାରି ରହିଥିବା ଆନ୍ଦୋଳନ ବିଫଳ ହେବାକୁ ଯାଉଥିବା ପରିଲକ୍ଷିତ ହୋଇଛି । ଶିକ୍ଷକ ସଂଘ ମଧ୍ୟରେ ମତଭେଦ ଓ ତାଳମେଳ ରହୁନଥିବା ଦେଖାଯିବା ସହିତ ଏହାର ଆଗାମୀ ଭବିଷ୍ୟତ କୁନେଇ ପ୍ରଶ୍ନବାଚୀ ଉଠିଛି । ଗୋଟିଏ ଗୋଷ୍ଠୀ ବିଦ୍ୟାଳୟ ଖୋଲା ରଖି କେବଳ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ସପକ୍ଷରେ ଯୁକ୍ତି ବାଢ଼ି ଥିବା ବେଳେ ଅନ୍ୟ ଗୋଷ୍ଠୀ ସାମୁହିକ ଛୁଟିରେ ରହି ଶିକ୍ଷା ବିଭାଗକୁ ଏକପ୍ରକାର ଅଚଳ କରିବା ସପକ୍ଷରେ ଯୁକ୍ତି ବାଢ଼ି ଥିଲେ । ଫଳରେ ବର୍ତ୍ତମାନ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ କେଉଁ ଦିଗକୁ ଯିବ ତାହା ଉପରେ ସମସ୍ତଙ୍କ ନଜର ।
ତେବେ ଜିଲ୍ଲାର ବିଭିନ୍ନ ବର୍ଗର ଶିକ୍ଷକଙ୍କ ତିନୋଟି ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନ ସରିବା ପରେ ମଧ୍ୟ ଆନ୍ଦୋଳନର ପରବର୍ତ୍ତୀ ପଦକ୍ଷେପ କଣ ହେବ ସେନେଇ ହୋଇ ପାରିଲାନି ସହମତି । ଫଳରେ ବର୍ତ୍ତମାନ ଶିକ୍ଷକ ସଂଘର ଦାବି କିଭଳି ଆଗକୁ ବଢିବ ଓ ସଫଳତା ମିଳିବ ସେନେଇ ଉଠିଛି ପ୍ରଶ୍ନବାଚୀ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ 8 ତାରିଖଠାରୁ ପ୍ରାଥମିକ ଶିକ୍ଷକ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ତିନି ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ କାର୍ଯ୍ୟରତ ରହିଛନ୍ତି । ଏହି ଆନ୍ଦୋଳନରେ ଉତ୍କଳ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଏସ୍ଏସ୍ପି ସଂଘ, ଗଣ ଶିକ୍ଷକ ସଂଘ ଓ ଜିଲ୍ଲା ଶିକ୍ଷକ ସଂଘ ଏଭଳି 4 ଗୋଟି ଶିକ୍ଷକ ସଂଘ ପକ୍ଷରୁ ଗତ 4 ଦିନ ହେଲା ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି, ୧୩ରୁ ଆବେଦନ
ପୂର୍ବ ସୂଚନା ପ୍ରକାରେ ସୋମବାର ଆନ୍ଦୋଳନର ପରବର୍ତ୍ତୀ ରୂପରେଖ ଧାର୍ଯ୍ୟ ପାଇଁ ଆଜି ଅପରାହ୍ନରେ ସମସ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା । ତେବେ ଆନ୍ଦୋଳନ ସ୍ଥଳରେ କଥା କଟାକଟି ହୋଇ ଆନ୍ଦୋଳନ କୁନେଇ ସହମତି ହୋଇ ପାରି ନଥିଲା । ବୌଦ୍ଧ ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗତ ଚାରି ଦିନ ଧରି ଖୋଲା ରହି ଶିକ୍ଷାଦାନ ସାମାନ୍ୟ ରହିଥିବାରୁ ଏହାକୁ ଗଣ ଶିକ୍ଷକ ସଂଘ ଓ ଏସ୍ଏସ୍ପି ଶିକ୍ଷକ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । କେବଳ କିଛି ଶିକ୍ଷକ ବିଦ୍ୟାଳୟରୁ ସାମୟିକ ଛୁଟି ନେଇ ଆନ୍ଦୋଳନରେ ସାମିଲ ହେଉଥିବା ବେଳେ ଅଧିକାଂଶ ଶିକ୍ଷକ ଆଦୌ ଏଥିରେ ସାମିଲ ହେଉନାହାନ୍ତି ।
ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପୂର୍ବରୁ ସେମାନଙ୍କ ବିଭିନ୍ନ ଦାବିକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଶିକ୍ଷକ ସଂଘର ଦାବି ଅନୁଯାୟୀ କେନ୍ଦ୍ରୀୟ ହାରରେ ବେତନ, ଅସ୍ଥାୟୀ ଶିକ୍ଷକଙ୍କୁ ନିୟମିତ ତଥା ପୁରୁଣା ପେନସନ ନୀତି ଲାଗୁ ଦାବିରେ ଗତ 4 ଦିନ ଧରି ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ଶିକ୍ଷକ ସଂଘ । ତେବେ ଗୋଟିଏ ଶିକ୍ଷକ ସଂଘ ଗୋଷ୍ଠୀ ବିଦ୍ୟାଳୟ ଖୋଲା ରଖି କେବଳ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ସପକ୍ଷରେ ଯୁକ୍ତି ବାଢ଼ି ଥିବା ବେଳେ ଅନ୍ୟ ଶିକ୍ଷକ ସଂଘ ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ବିରୋଧ କରି ସମସ୍ତ ପ୍ରାଥମିକ ଶିକ୍ଷକମାନେ ମାସକ ଛୁଟି କିମ୍ବା ସାମୁହିକ ଛୁଟିରେ ରହି ଆନ୍ଦୋଳନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ସପକ୍ଷରେ ଯୁକ୍ତି ବାଢ଼ି ଆସନ୍ତା ମଙ୍ଗଳବାରଠାରୁ ସେମାନେ ଆନ୍ଦୋଳନରୁ ହଟିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ