ବୌଦ୍ଧ: କଳା, ସଂସ୍କୃତି ଓ ବାଣିଜ୍ୟର ଅପୂର୍ବ ମିଳନ ପାଲଟିଲା ମହୋତ୍ସବ ମଇଦାନ । ମଞ୍ଚରେ ଲୋକନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ ମହୋତ୍ସବ ପଡିଆରେ ଚାଲିଥିବା ବାଣିଜ୍ୟ ମେଳାରୁ ମଧ୍ୟ ବେଶ ମଜା ଉଠାଇଥିଲେ ଲୋକ । ବୌଦ୍ଧ ଜିଲ୍ଲାର ବୀରନରସିଂପୁରଠାରେ ଚାଲିଥିବା ଗଡଜାତ ଲୋକ ମହୋତ୍ସବ ଜିଲ୍ଲା ତଥା ଜିଲ୍ଲା ବାହାରର ଦର୍ଶକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ର ବିନ୍ଦୁ ।
ଗତ 15 ତାରିଖରୁ ଆରମ୍ଭ ହୋଇଥିବା ଏହି ଲୋକ ମହୋତ୍ସବରେ ପ୍ରତ୍ୟେକ ଦିନ ସଂଧ୍ୟାରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ମଞ୍ଚରେ ଲୋକନୃତ୍ୟ ସହିତ ବିଭିନ୍ନ ପ୍ରକାରର ସଂଗୀତ ତଥା ସିନେ ତାରକାଙ୍କୁ ଦେଖିବାକୁ ଦର୍ଶକ ଖଚାଖଚ ଭରି ରହୁଥିବା ବେଳେ ମହୋତ୍ସବ ପଡିଆରେ ଲାଗିଥିବା ବାଣିଜ୍ୟ ମେଳା ଓ ଖାଦ୍ୟ ଷ୍ଟଲରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।
ତେବେ ବିଭିନ୍ନ ଗଡଜାତ ଅଞ୍ଚଳ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଳାକାରଙ୍କୁ ଆମନ୍ତ୍ରଣ କରି ପ୍ରତ୍ୟେକ ଦିନ ଏଭଳି ରଙ୍ଗୀନ ସଂଧ୍ୟାର ଆୟୋଜନ କରାଯାଇଛି । ଏଥିରେ ବିଶେଷ ଭାବେ ଅଞ୍ଚଳର ଲୋକକଳା ଓ ଲୋକ ସଂସ୍କୃତିକୁ ଉଦ୍ଜୀବିତ କରିବାକୁ ଭରପୂର ଚେଷ୍ଟା କରାଯାଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ