ବୌଦ୍ଧ: ମହାନଦୀରେ ବନ୍ୟା ପାଣି ଆସିବା ପରେ ଉବୁଟୁବୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ । ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ ସରକାରୀ ବିଭାଗ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ।
ମହାନଦୀରେ ବନ୍ୟା ଆସିବା ଫଳରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେପଟେ ପାଞ୍ଚ ଦିନ ହେଲାଣି ବନ୍ୟା ପାଣି କମୁନାହିଁ । ଆତଙ୍କିତ ଅବସ୍ଥାରେ ରହୁଛନ୍ତି ନଦୀ କୂଳିଆ ଲୋକେ । ବିଶେଷ ଭାବରେ କଚ୍ଚା ଘରେ ରହୁଥିବା ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ପୁରୁଣା ଜଗନ୍ନାଥ ସଡକ ଉପରେ ବିଭିନ୍ନ ସ୍ଥାନରେ 3 ରୁ 5 ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବୌଦ୍ଧରୁ ଧଳପୁର କୁ ଦଶ ଦିନରୁ ଉର୍ଦ୍ଧ୍ବ ହେଲା ଯୋଗାଯୋଗ ବିଛିନ୍ନ ରହିଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ବନ୍ୟାଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।
ସେପଟେ କେବଳ ବୌଦ୍ଧ ପୌରାଞ୍ଚଳର ଦୁଇଟି ବସ୍ତିରୁ ୮୯ ଜଣଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରି ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ସେହିପରି କୌଣସି ପ୍ରକାର ଅଘଟଣ ପାଇଁ ଜିଲ୍ଲାର ଚାରୋଟି ଅଗ୍ନିଶମ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ