ବୌଦ୍ଧ: ଖବର ବାଜିବା ପରେ ପଡ଼ିଲା ପ୍ରଶାସନର ନଜର, ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଁଶୁଣୀର ହେବ ଉନ୍ନତିକରଣ । ଉକ୍ତ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାପାଳ ବାଉଁଶୁଣୀ ଡାକ୍ତରଖାନାକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ।
ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଉପରେ ଅଞ୍ଚଳର ଦଶରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ସ୍ବାସ୍ଥ୍ୟ ସେବା, ପୋଲିସ ସେବା, ଗମନାଗମନ ଓ ବାଣିଜ୍ୟ ଦୃଷ୍ଟି କୋଣରୁ ନିର୍ଭରଶୀଳ। କିନ୍ତୁ ବିଭିନ୍ନ କାରଣରୁ ବାଉଁଶୁଣୀର ବିକାଶ ହୋଇ ପାରୁନଥିଲା। ବାଘନଦୀ ଓ ମହାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ବାଉଁଶୁଣୀ ଅଞ୍ଚଳରେ ନଦୀକୂଳ ଲଙ୍ଘି ଏକ ବିପଦପୂର୍ଣ୍ଣ ସ୍ଥାନରେ ପରିଣତ ହୋଇଛି। ଏହି ଦ୍ବାଦଶ ଶତାବ୍ଦୀର ଶୈବପୀଠ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି।
ବାଉଁଶୁଣୀ ଦେଇ 57 ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ଏଠାରେ ବାଇପାସ ରାସ୍ତାର ଯଥେଷ୍ଟ ଆବଶ୍ୟକତା ରହିଛି । ବାଉଁଶୁଣୀରେ ଜବରଦଖଲ ସମସ୍ୟା ଓ ଥଇଥାନ ସମସ୍ୟା ସହିତ ବସ୍ଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମଗାର, ବନୀକରଣ, ଟସର ଶିଳ୍ପ, ଗମନାଗମନ ଭଳି ସମସ୍ୟାର ଲମ୍ବା ତାଲିକା ରହିଛି । ଏହାକୁ NACର ମାନ୍ୟତା ପାଇଁ ଦାବି ହୋଇଆସୁଥିବା ବେଳେ ଏଠାକାର ଟସର ଶିଳ୍ପ ଓ ଡାକ ବଙ୍ଗଳା ପୁନରୁଦ୍ଧାରର ଯଥେଷ୍ଟ ଆବଶ୍ୟକତା ରହିଥିବା ଦାବି ହୋଇ ଆସୁଥିଲା ।
ଶେଷରେ ଶନିବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ନୂତନ ଉପଜିଲ୍ଲାପାଳ ରବୀନ୍ଦ୍ର କହଁରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ପୂର୍ବରୁ ବୌଦ୍ଧ ଜିଲ୍ଲାପାଳ ବାଉଁଶୁଣୀ ଡାକ୍ତରଖାନାକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବା ବେଳେ ବିଶେଷଜ୍ଞ ଡାକ୍ତର ଅଭାବ ଓ ବାଉଁଶୁଣୀ ଅଞ୍ଚଳର ବିଭିନ୍ନ ସମସ୍ୟା ପର୍ଯ୍ୟାୟ କ୍ରମେ ଦୂର ହୋଇ ପାରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ