ଭଦ୍ରକ: ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଧାମନଗର ନିର୍ବାଚନ ମଣ୍ଡଳୀରେ ଉଦ୍ବୋଧନ ଦେବାବେଳେ ଧର୍ମେନ୍ଦ୍ରଙ୍କ ନାଁ ନଧରି ତାଙ୍କୁ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ । ବିଜେପି ପ୍ରାର୍ଥୀ ନିର୍ବାଚନ ଜିତିଲେ, ହେଲେ ଧର୍ମେନ୍ଦ୍ର ଧାମନଗରବାସୀଙ୍କୁ ଧନ୍ୟବାଦ ଦେବାକୁ ଭୁଲିଗଲେ ବୋଲି ସେ କହିଛନ୍ତି । ପ୍ରଚାର ବେଳେ ୫ ଥର ଆସି ଶହଶହ ମିଛ ପ୍ରତିଶ୍ରୁତି ଦେଇଥିଲେ, ହେଲେ ଦେଖା ଦେଲେନି ବୋଲି ପାଣ୍ଡିଆନ କହିଛନ୍ତି ।
ଧାମନଗର ଗସ୍ତ ବେଳେ ପାଣ୍ଡିଆନ କହିଛନ୍ତି, "୧୧ ମାସ ତଳେ ଧାମନଗର ଉପନିର୍ବାଚନ ହୋଇଥିଲା । ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ମଙ୍ଗ ଧରିଥିଲେ ଧର୍ମେନ୍ଦ୍ର । ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲେ । କିନ୍ତୁ ତା’ପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ । ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାନ୍ତି । ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇଦେବେ । ଧାମନଗର ଭିନ୍ନ ଏକ ନିର୍ବାଚନମଣ୍ଡଳୀ ପାଲଟିଯିବ । ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି ? ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟ ହୋଇଯାଇଛି । ଗତ ୧୦ ମାସ ଭିତରେ ସେ ଦିଲ୍ଲୀରୁ ଓଡ଼ିଶାକୁ ୧୦୦ ଥର ଆସିଥିବେ । କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁ କେମିତି ?"
ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜିତିଲା ସତ, କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ବାସ ହରାଇଲେ ବୋଲି ପାଣ୍ଡିଆନ କହିଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଇ 5T ଅଧ୍ୟକ୍ଷ ଏଭଳି ତୀର ମାରିଛନ୍ତି । ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଧାମନଗରରେ ବିଜେପି ଦଳର ବିଧାୟକ ଅଛନ୍ତି । ସେଥିପାଇଁ ଧାମନଗର ନଯିବା ପାଇଁ ତାଙ୍କୁ କିଛି ଲୋକ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଧାମନଗର ଯାଇ ଧାମନଗରର ଉନ୍ନତି ପାଇଁ ଯାହା ଆବଶ୍ୟକ ତାହା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି । ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର । ଗରିବ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କ ଲକ୍ଷ୍ୟ । ଗତ ଜୁନ ୧୨ ତାରିଖରେ ଧାମନଗର ଆସି ଲୋକଙ୍କଠାରୁ ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ କରିଥିଲେ । ଧାମନଗରବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ କାମ କରିବା ଲାଗି ପ୍ରେରଣା ଦେଇଛି । ଜୁନ ମାସଠୁ ଆଜି ମଧ୍ୟରେ ୧୦୦ କୋଟି ଟଙ୍କା ଧାମନଗର ପାଇଁ ମଞ୍ଜୁର ହୋଇଛି ବୋଲି ପାଣ୍ଡିଆନ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ, ଉନ୍ନୟନ ମୂଳକ କାର୍ଯ୍ୟର କେଲ ସମୀକ୍ଷା
ଖୁବଶୀଘ୍ର ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଏଥିରେ ଯାତ୍ରା କରିପାରିବେ । ଧାମନଗର ନିର୍ବାଚନମଣ୍ଡଳୀରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତି ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ନିର୍ବାଚନମଣ୍ଡଳୀର ୨୧ଟି କଲେଜର ରୂପାନ୍ତରଣ ପାଇଁ ୧୦ କୋଟି ଟଙ୍କା, ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୨୨ କୋଟି ଟଙ୍କା ମଞ୍ଜୁର ହୋଇଛି । ତିହିଡିରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୀଠ ପାଇଁ ୫୦ ଲକ୍ଷ, ବିଭିନ୍ନ ଧର୍ମସ୍ଥଳୀ ପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଛି । ଗତ ୬ ମାସ ଭିତରେ ଧାମନଗର ନିର୍ବାଚନମଣ୍ଡଳୀକୁ ୧୦୦ କୋଟି ଟଙ୍କା ଅନୁମୋଦନ ମିଳିଛି ।
ଅସୁରାଳି ପରେ ଭଦ୍ରକ ନେହେରୁ ଷ୍ଟାଡିୟମରୁ ମଧ୍ୟ ବିରୋଧୀଙ୍କୁ ସିଧା ଟାର୍ଗେଟ କରିଛନ୍ତି 5T ଅଧ୍ୟକ୍ଷ । ସେ କହିଛନ୍ତି, "ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯେଉଁଭଳି ଭାବେ ଶ୍ରୀମନ୍ଦିରଠୁ ନେଇ ଲିଙ୍ଗରାଜ ମନ୍ଦିର, ଭଦ୍ରକାଳୀ ମନ୍ଦିରଠୁ ନେଇ ବିଭିନ୍ନ ମଠ, ମନ୍ଦିର, ମସଜିଦ୍ ଓ ଚର୍ଚ୍ଚର ଉନ୍ନତିକରଣ ଓ ରୂପାନ୍ତରୀକରଣ ଚାଲିଛି, ତାହା ଦେଖି ବିରୋଧୀମାନଙ୍କ ନିଦ ଭାଙ୍ଗି ଯାଇଛି । ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର । ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଅସୁବିଧା ହୋଇଯିବ । ସେଥିପାଇଁ ସେମାନେ ରୂପାନ୍ତରଣ ରୋକିବାକୁ ଦିନରାତି ଚେଷ୍ଟା କରୁଛନ୍ତି । ସେମାନଙ୍କର ବିକାଶ ଉପରେ ବିଲକୁଲ୍ ବିଶ୍ବାସ ନାହିଁ । ହେଲେ ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶ ରଥକୁ ଅଟକାଇବାକୁ ଚେଷ୍ଟା କରୁଥିବା ବିରୋଧୀଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ।"
ଇଟିଭି ଭାରତ, ଭଦ୍ରକ