ଭଦ୍ରକ: ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଉଥିବା ରିଲିଫ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରି ଧାମନଗର ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଏହି ଉପଲକ୍ଷେ ଏକ ପ୍ରତିବାଦ ସଭା ସହ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ଏଥିରେ ଦଳର ଜିଲ୍ଲା ସଭାପତି ଅଶୋକ ଦାସ, ପୂର୍ବତନ ସାଂସଦ ମୁରଲୀଧର ଜେନା, ବ୍ଲକ କଂଗ୍ରେସ ନେତା ବିଦ୍ୟାଧର ଜେନାଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ।
ତେବେ ଗତ ମାସ ବୈତରଣୀ ନଦୀରେ ଆସିଥିବା ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ଧାମନଗର ବ୍ଲକ ହୋଇଛି । ସରକାରଙ୍କ ପକ୍ଷରୁ ଯେଉଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି ତାହା ଦଳୀୟ ଭିତିରେ ହେଉଥିବା କଂଗ୍ରେସ ଅଭିଯୋଗ କରିଛି । ଫଳରେ ପ୍ରକୃତ ବନ୍ୟା ବିପନ୍ନମାନେ ରିଲିଫ ଓ ଘରଭଙ୍ଗା ସାହାଯ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ ଏବେ ପ୍ରତିବାଦ କରିଛି ଦଳ ।
ତେବେ ଏସମ୍ପର୍କରେ ସେମାନେ ବିଡ଼ିଓଙ୍କଠାରୁ ଜିଲ୍ଲପାଳଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଉନଥିବାରୁ କଂଗ୍ରେସ ଦଳ ପକ୍ଷରୁ ଧାରଣା ଓ ପ୍ରତିବାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି । ଏ ଦିଗରେ ପ୍ରଶାସନ ବିହୀତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଭଦ୍ରକରୁ ଦେବଶିଷ ମହାପାତ୍ର, ଇଟିଭି ଭାରତ