ଭଦ୍ରକ: ନୂଆବର୍ଷରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ହତ୍ୟାକାଣ୍ଡ ଘଟଣା। ବଣଭୋଜି ପରେ ଘର ପାଖରେ ସାଙ୍ଗକୁ ହତ୍ୟା କରିଥିବା ଘଟଣାରେ ମୁଖ୍ୟ ତିନି ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି ପୋଲିସ । ଜଳଙ୍ଗା ଗ୍ରାମରେ ଏଭଳି ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ଜଲଙ୍ଗା ଗାଁର ସତ୍ୟବ୍ରତ ଶିଅଳ ଗାଁ ପିଲାଙ୍କ ସହ ରାତିରେ ବଣଭୋଜି କରୁଥିଲେ । ସେହି ଗାଁର ଜନୈକ ଯୁବକ ପ୍ରଶାନ୍ତ ବେହେରା ତାଙ୍କୁ ଭୋଜି ପାଖରୁ କୌଣସି କାମର ବାହାନା ଦେଖାଇ ଡାକି ନେଇଥିଲା ।
ପରେ ନିକଟସ୍ଥ ଏକ ପଡିଆରୁ ତାଙ୍କର ମୃତଦେହ ମିଳିଥିଲା । ମୃତଦେହର ବେକରେ ଚିହ୍ନ ଦେଖାଯାଇଥିଲା । ତଦନ୍ତରୁ ଜଣା ପଡିଥିଲା କି ପ୍ରଶାନ୍ତ ବେହେରା ସତ୍ୟବ୍ରତଙ୍କୁ ଡାକି ନେଇଥିବା ବେଳେ ସେହି ଗାଁର ଅନ୍ୟ ଦୁଇ ଜଣ ଯୁବକଙ୍କର ହତ୍ୟାରେ ସମ୍ପୃକ୍ତି ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ଦାଦା ଅମୂଲ୍ୟ ଶିଅଳ । ଅଭିଯୋଗକୁ ଭିତ୍ତି କରି ପୋଲିସ 1/20ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ପୋଲିସ ସମ୍ପୃକ୍ତ ଗ୍ରାମର ସୁଶାନ୍ତ ବେହେରା, ପ୍ରଶାନ୍ତ ବେହେରା ଓ ମିତା ବେହେରା ତିନି ଅଭିଯୁକ୍ତକୁ ଗିରଫ କରି 302, 34 ଆଇପିସି ଦଫାରେ କୋର୍ଟ ଚାଲାଣ କରିଛି। ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ ରହସ୍ୟକୁ ନେଇ ପୋଲିସ ଏବେ ବି ସନ୍ଦେହ ଘେରରେ ରହିଛି। ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ ପାଇଁ ପରବର୍ତ୍ତୀ ସମୟରେ ପୋଲିସ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାସ ଚନ୍ଦ୍ର ପରିଡା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ